ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ? କାହା ହାତରେ ରହିବ କଂଗ୍ରେସର ମଙ୍ଗ? ଏହାକୁ ନେଇ ଏକ କଳ୍ପନାଜଳ୍ପନା ଚାଲିଛି । ଦୌଡ଼ରେ ଶଶି ଥରୁର, କେସି ବେଣୁଗୋପାଲ ଏବଂ ମଲ୍ଲିକାର୍ଜୁନ ଖଡଗେ ଥିବା ବେଳେ ଦିଗବିଜୟ ସିଂହଙ୍କ ନାଁ ବି ଶୁଣିବାକୁ ମିଳୁଛି। ସେ ସେପ୍ଟେମ୍ବର ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ।
ଏଥିପାଇଁ ଆଜି ରାତିରେ ଦିଗ୍ବିଜୟ ଦିଲ୍ଲୀ ଆସିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ଅଧ୍ୟକ୍ଷ ଦୌଡ଼ରେ ଅଶୋକ ଗେହେଲୋଟ ରହିଥିଲେ। ହେଲେ ରାଜସ୍ଥାନରେ ଯେଉଁ ରାଜନୈତିକ ଡ୍ରାମା ହେଲା ସେଥିରେ କଂଗ୍ରେସ ହାଇକମାଣ୍ଡ ଗେହେଲୋଟ୍ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଅଧ୍ୟକ୍ଷ ପଦ ଭୋଟ୍ରୁ ବାହାର କରିଦିଆଯାଇଛି।
ଅକ୍ଟୋବର ୧୭ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର ଏହି ପଦ ପାଇଁ ଅଧିକ ଦାବିଦାର ବୋଲି କୁହାଯାଉଛି। ତେବେ ଏଥିର ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେ ନାହିଁ ବୋଲି ସୂଚନା ମିଳୁଛି। କାରଣ ରାହୁଲ ଗାନ୍ଧୀ ନିର୍ବାଚନରେ ସାମିଲ୍ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।