ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ: କାହିଁକି ଜାଣନ୍ତୁ?

0

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ରାଜ୍ୟ ରାଜନୀତି । ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି । ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ । ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ । ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାରଙ୍କ ଫଳପ୍ରଦ ଯୋଜନା ଗୁଡିକ ବିନା କୌଣସି ମଧ୍ୟସ୍ଥିରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚୁଛି । ଜନଧନ ଯୋଜନାର ଏହାର ଏକ ଉତ୍କୃଷ୍ଟ ଉଦାହରଣ । ସମଗ୍ର ଭାରତବର୍ଷରେ ଏହି ଯୋଜନାରେ ପ୍ରାୟ ୪୮.୯୯ କୋଟି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଛି ଏବଂ ୧.୯୭ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଓଡ଼ିଶାରେ ମଧ୍ୟ ୨.୦୧ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଥିବା ବେଳେ ୮ ହଜାର ୭୫୧ କୋଟି ଟଙ୍କା ଜମା କରାଯାଇଛି ।

Leave A Reply

Your email address will not be published.