ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବାକୁ ଚିଠିରେ ଅନୁରୋଧ କରଛନ୍ତି । ଏଥିସହ ଶିକ୍ଷାର ମାନଦଣ୍ଡ ବଜାୟ ରଖିବାକୁ ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା । ବିଶେଷ କରି ଗମ୍ଭୀରଦାନ କେ ଗଡ଼ଭି ବନାମ ଗୁଜରାଟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୦୩, ୨୦୨୨ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏହି ଅସଙ୍ଗତି ଗଭୀର ଚିନ୍ତାର ବିଷୟ, ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଉପରେ ୟୁଜିସିର ସର୍ବୋଚ୍ଚ ନିୟମାବଳୀକୁ ସ୍ପଷ୍ଟ ଭାବେ ବଜାୟ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରଙ୍କ ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସଂଙ୍କୁଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସ୍ୱାଧୀନ ଓ ଉଚ୍ଚମାନର ଶିକ୍ଷାବିତଙ୍କୁ ତିଆରି କରିବାର ପରମ୍ପରା ରହିଛି, ଯେଉଁମାନେ ରାଷ୍ଟ୍ର ନିର୍ମାଣ ସହ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୀବନ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବଡ ଦାୟିତ୍ୱ ଭୂମିକା ଗ୍ରହଣ କରିଛନ୍ତି । ସେମାନେ ସ୍ୱାଧୀନତା, ବିଶ୍ୱସନୀୟତା ଏବଂ ପ୍ରଶାସନିକ ଦକ୍ଷତା ଦ୍ୱାରା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ । ଡ. ପ୍ରାଣକୃଷ୍ଣ ପରିଜା, ପ୍ରଫେସର ଶୀରାମ ଚନ୍ଦ୍ର ଦାସ, ପ୍ରଫେସର ଚିନ୍ତାମଣି ଆଚାର୍ଯ୍ୟ, ଡ. ସଦାଶିବ ମିଶ୍ର ଏବଂ ଡା. ମହେନ୍ଦ୍ର କୁମାର ରାଉତଙ୍କ ପରି ବ୍ୟକ୍ତିବିଶେଷମାନେ ଜଣେ ସ୍ୱାଭିମାନୀ ଏବଂ ସ୍ୱାଧୀନ ଶିକ୍ଷାବିତ୍ ଭାବେ ଦୃଢ଼ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ତେଣୁ ରାଜ୍ୟର ଶିକ୍ଷାବିତ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିବା ପାଇଁ ପୂର୍ବ ସରକାର କରିଥିବା ପ୍ରୟାସକୁ ତୁରନ୍ତ ବା ଅବିଳମ୍ବେ ପୁନର୍ବିଚାର କରାଯିବା ଜରୁରୀ ।
ୟୁଜିସିର ନିୟମାବଳି ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ ଏବଂ ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ । ଯଦି କୌଣସି ଆଇନଗତ ଢାଞ୍ଚା ଯାହା ଏହି ନିୟମାବଳିକୁ ଅଣଦେଖା କରେ, ତାହା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପରିର୍ତ୍ତନ ଆଣିବା ସହ ଶିକ୍ଷାର ଗୁଣାତ୍ମକ ମାନ ଏବଂ ଶିକ୍ଷାବିତଙ୍କ ସମ୍ମାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।