ପୁଣି ଡରାଇ ଲାଣି ବାତ୍ୟା
ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ ସୂଚନା ଦେଲେଣି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଆକଳନ ଅନୁଯାୟୀ ୨୦ ତାରିଖରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହେବ। ଯଦିଓ ଏବେଠାରୁ ବାତ୍ୟା ଆକଳନ ସଠିକ୍ ହେବ ନାହିଁ ତଥାପି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି। ୨୨ ତାରିଖ ଆଡ଼କୁ ସ୍ପଷ୍ଟ ଚିତ୍ର ଆସିଯିବ। ଲଘୁଚାପଟି ଅଧିକ ଘନୀଭୂତ ହୋଇ କେଉଁ ଦିଗରେ ଗତି କରିବ, ତାହା ବାତ୍ୟା ସୃଷ୍ଟିକୁ ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି। କିନ୍ତୁ ଓଡ଼ିଶାରେ ୨୪ରୁ ୨୬ ତାରିଖ ଯାଏ ପ୍ରବଳ ବର୍ଷିବ। ୨୩ ତାରିଖ ଅପରାହ୍ନରୁ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ। ଅନ୍ୟପଟେ ରାଜ୍ୟରୁ ମଧ୍ୟ ମୌସୁମୀ ଅପସାରଣ ନେଇ ବାତାବରଣ ଅନୁକୂଳ ହୋଇସାରିଛି। ଗତ ୨ ଦିନ ହେଲା ରାଜ୍ୟରେ ବର୍ଷା ହୋଇନଥିବା ବେଳେ ପାଗ ଶୁଖିଲା ରହିଛି। ଆସନ୍ତା ୪ ଦିନ ବି ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ସାଧାରଣତଃ ମୌସୁମୀ ଅପସାରଣ ପ୍ରକ୍ରିୟା ସମୟରେ ଲଗାତାର ୫ ଦିନ ବର୍ଷା ନ ହେବାକୁ ଆମେ ରାଜ୍ୟରୁ ମୌସୁମୀ ଫେରିଗଲା ବୋଲି କହିପାରିବା।