ଆଇପିଏଲର ବୟସ୍କ ଖେଳାଳି ଧୋନୀ: ୧୯ ରନ୍ କଲେ ଚେନ୍ନାଇ ପାଇଁ କରିବେ ବଡ ରେକର୍ଡ
ମହେନ୍ଦ୍ର ସିଂ ଧୋନୀ… ଏମିତି ଜଣେ ଖେଳାଳି ଯିଏ ଆଇପିଏଲର ପ୍ରଥମ ସିଜିନରୁ ଆଜି ଯାଏଁ ଖେଳି ଆସୁଛନ୍ତି । ଧୋନୀଙ୍କ ନେତୃତ୍ୱ ନେବା ଶୈଳୀ, ଦକ୍ଷତା ବେଶ ବିଚକ୍ଷଣ । ତାଙ୍କ ମାଇଣ୍ଡ ଗେମରେ ସିଏସକେ ୫ଥର ଟ୍ରଫି ହାତେଇବା ସହ ୧୦ଥର ଫାଇନାଲ ଆଉ ୧୨ଥର ପ୍ଲେଅଫରେ ପ୍ରବେଶ କରିଛି । ଚଳିତ ବର୍ଷ ଧୋନୀ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି ଭାବେ ମୈଦାନକୁ ଓହ୍ଲାଇବେ । ସେ ୨୦୦୮ରୁ ଲଗାତାର ୨୦୨୫ ଯାଏଁ ଖେଳୁ ଆସୁଛନ୍ତି ।
ଧୋନୀଙ୍କ ବୟସ ବର୍ତ୍ତମାନ ୪୩ ବର୍ଷ । ଧୋନୀଙ୍କଠାରୁ କେହି ବି ଚଳିତ ଆଇପିଏଲରେ ଅଧିକ ବର୍ଷର ଖେଳାଳି ନାହାନ୍ତି । ଧୋନୀଙ୍କ ପରେ ଫାପ୍ ଡୁପ୍ଲେସିସ, ରବିଚନ୍ଦ୍ରନ ଅଶ୍ୱିନୀ ଓ ରୋହିତ ଶର୍ମା ଏହି ଲିଷ୍ଟରେ ସାମିଲ ଅଛନ୍ତି । ତେବେ ଧୋନୀଙ୍କ ପୂର୍ବରୁ ବି ଏମିତି କିଛି ଖେଳାଳି ଅଛନ୍ତି ଯିଏ ଅଧିକ ବୟସରେ ବି ଆଇପିଏଲରେ ଖେଳ ଜାରି ରଖିଥିଲେ । ଅଷ୍ଟ୍ରେଲିଆ ଖେଳାଳି ବ୍ରାଡ୍ ହଗ୍ ୪୫ ବର୍ଷ ଯାଏଁ ଆଇପିଏଲ ଖେଳିଥିବା ବେଳେ ପ୍ରବୀଣ ତାମ୍ୱେ ୪୪ ବର୍ଷ ଯାଏଁ ଖେଳିଥିଲେ ।
ବର୍ତ୍ତମାନ ଧୋନୀ ସବୁଠାରୁ ବୟସ୍କ ଖେଳାଳି ଲିଷ୍ଟରେ ତୃତୀୟରେ ରହିଥିବା ବେଳେ ଚଳିତ ଆଇପିଏଲରେ ବି ସେ ଖେଳ ଜାରି ରଖିଛନ୍ତି । ତେବେ ଏହି ଆଇପିଏଲ ତାଙ୍କର ଶେଷ ଆଇପିଏଲ କୁହାଯାଉଥିଲେ ବି ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଧୋନୀ ଆଇପିଏଲରେ ଏମିତି ଏକମାତ୍ର ଖେଳାଳି ଯିଏ ଆରମ୍ଭରୁ ସିଏସକେ ଟିମରେ ରହିଛନ୍ତି । ଚେନ୍ନାଇ ୨ ବର୍ଷ ବ୍ୟାନ ସମୟରେ ସେ ପୁନେ ଦଳର ଅଧିନାୟକ ରହିଥିଲେ ।