ନୂଆଦିଲ୍ଲୀ (ଆମ ଟିଭି): ମଧୁଚନ୍ଦ୍ରିକା ପାଇଁ ମେଘାଳୟ ଯାଇଥିଲେ, ହେଲେ ସ୍ୱାମୀଙ୍କୁ ଜୀବନରୁ ମାରିଦେଲେ ନରହନ୍ତା ପତ୍ନୀ । ଆମେ କହୁଛୁ ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମଙ୍କ କଥା । ବାହାଘର ପରେ ହନିମୁନ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିଲେ ଦୁହେଁ, କିନ୍ତୁ ନରହନ୍ତା ପତ୍ନୀର ଭୀଷଣ କୋପରେ ଚାଲିଗଲା ନିରୀହ ସ୍ୱାମୀର ଜୀବନ । ଆଜିକାଲି ମହିଳାଙ୍କ ଉତ୍ପାତ ଦିନକୁ ଦିନ ବଢି ଚାଲିଛି, କେତେବେଳେ ସ୍ୱାମୀଙ୍କୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରୁଛନ୍ତି ତ ଆଉ କେତେବେଳେ ସ୍ୱାମୀଙ୍କୁ ବୁଲିବା ବାହାନାରେ ଅନ୍ୟ ସହରକୁ ନେଇ ଜୀବନରୁ ମାରି ଦେଉଛନ୍ତି । ଠିକ ଏମିତି କାଣ୍ଡ ଭିଆଇଛନ୍ତି ନବବିବାହିତା ସୋନମ । ସ୍ୱାମୀଙ୍କୁ ମାରି ଫିଲ୍ମ ଷ୍ଟାଇଲରେ ନିଖୋଜ ହୋଇଯାଇଥିଲେ ପତ୍ନୀ, ଆଉ ଏବେ ଖୋଦ ଆସି ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ।
ତେବେ ସମ୍ପୂର୍ଣ୍ଣ ଘଟଣାଟି ଆମେ ଆପଣଙ୍କୁ କହୁଛୁ, ମେ ୧୧ରେ ସୋନମଙ୍କୁ ବିବାହ କରିଥିଲେ ଇନ୍ଦୋରର ରାଜା ରଘୁବଂଶୀ । ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । ଆଉ ବିବାହର ମାତ୍ର ୯ ଦିନ ପରେ ଏହି ନବବିବାହିତ ଦମ୍ପତ୍ତି ହନିମୁନ୍ ପାଇଁ ଯାଇଥିଲେ ମେଘାଳୟ । ମେ ୨୦ରେ ଗୌହାଟୀର କାମାକ୍ଷା ମନ୍ଦିର ଦର୍ଶନ କରି ସେଠାରୁ ସିଲଂ ବାହାରି ଯାଇଥିଲେ ଦମ୍ପତି । ସେଠାକୁ ଯିବାର କିଛି ଦିନ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । କିଛି ଦିନ ଯୋଗାଯୋଗ ନହେବାରୁ ପରିବାର ଲୋକେ ସିଲଙ୍ଗ ଗଲେ । ଯେଉଁ ଠିକଣା ପୂର୍ବରୁ ରାଜା କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । କିନ୍ତୁ ପତ୍ନୀ ସୋନମଙ୍କର କୌଣସି ଖୋଜ ଖବର ମିଳିନଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା । ହନିମୁନ୍ରେ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା ।
ମେଘାଳୟ ଡିଜିପି ଆଇ ନୋଙ୍ଗରଙ୍ଗଙ୍କ କହିବା ଅନୁଯାୟୀ, ପତ୍ନୀ ସୋନମ୍ ତାଙ୍କ ସ୍ଵାମୀ ରାଜାଙ୍କୁ ହତ୍ୟା କରିଥିଲେ । ମେ ୨୩ ତାରିଖରେ ନିଖୋଜ ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ରାଜା ରଘୁବଂଶୀଙ୍କ ମୃତଦେହ ସୋମବାର ଜୁନ ୨ ତାରିଖରେ ପୂର୍ବ ଖାସି ହିଲ୍ସ୍ ଜିଲ୍ଲାର ସୋହରା ଅଞ୍ଚଳର ଏକ ଜଳପ୍ରପାତ ନିକଟରେ ମିଳିଥିଲା। ପତ୍ନୀ ସୋନମଙ୍କର ପତ୍ତା ନ ମିଳିବାରୁ ପୋଲିସ ତନାଘନା କରୁଥିଲା । ଏହାପରେ ଉତ୍ତରପ୍ରଦେଶର ଗାଜିପୁର ପୋଲିସ ସୋନମଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ନୂଆ ବାହା ହୋଇଥିବା ପତ୍ନୀ ସୋନମ୍ ନିଜ ସ୍ବାମୀଙ୍କୁ ହତ୍ୟା କଲେ କଣ ପାଇଁ? କଣ ଏହାର ପ୍ରକୃତ କାରଣ। ଏହା ପଛରେ ଲୁଚି ରହିବା ରହସ୍ୟ ଖୁବ୍ ଶୀଘ୍ର ଦୂର ହେବ ଏବଂ ଦୋଷୀକୁ କଠୋର ଦଣ୍ଡ ମିଳିବା ନେଇ ପରିବାରବର୍ଗ ଆଶା ରଖିଛନ୍ତି ।