ଜାଣନ୍ତୁ କେତେଦିନ ରହିବା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ: ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୯ ତାରିଖରୁ ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଏକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଆସନ୍ତା ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ଜଷ୍ଟିସ ୟୁ ୟୁ ଲଳିତଙ୍କ ପରେ ସେ ଏହି ଗୁରୁ ଦାୟିତ୍ବ ନେବାକୁ ଯାଉଛନ୍ତି। ଆସନ୍ତା ନଭେମ୍ବର ୯ ତାରିଖର ଶପଥ ଗ୍ରହଣ ଉତ୍ସବ ପାଇଁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।
ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି ହୋଇଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଗତ ସପ୍ତାହରେ ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିସ କରିଥିଲେ। ଅଯୋଧ୍ୟା ଜମି ବିବାଦ, ଆଇପିସିର ଧାରା ୩୭୭ ଉଚ୍ଛେଦ ସମେତ ସୁପ୍ରିମକୋର୍ଟର ଅନେକ କିମ୍ବଦନ୍ତି ରାୟ ଏବଂ ବିଭିନ୍ନ ସାମ୍ବିଧାନିକ ପୀଠର ସେ ଅଂଶବିଶେଷ ଥିଲେ। ସିଜେଆଇ ଲଳିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ଥିବାବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନଭେମ୍ବର ୧୦, ୨୦୨୪ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ମେ’ ୧୩, ୨୦୧୬ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ମଧ୍ୟ ପ୍ରଧାନ ବିଚାରପତି ଥିଲେ। ଦେଶରେ ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ୱାଇଭି ଚନ୍ଦ୍ରଚୂଡ଼ଙ୍କର ସେ ପୁଅ। ୱାଇଭି ଚନ୍ଦ୍ରଚୂଡ଼ ଫେବ୍ରୁଆରି ୨୨, ୧୯୭୮ରୁ ଜୁଲାଇ ୧୧, ୧୯୮୫ ପର୍ଯ୍ୟନ୍ତ ନ୍ୟାୟପାଳିକାର ମୁଖ୍ୟ ଥିଲେ।