ଦିନେଶ ଗୁଣବର୍ଦ୍ଧନେ ହୋଇପାରନ୍ତି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଆମ ଟିଭି): ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ଭିକ୍ରମସିଂହେ । ତେବେ ଏହା ପରେ କିଏ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ରାନିଲ ଭିକ୍ରମସିଂହେ ନୂଆ ରାଷ୍ଟ୍ରପତି କାର୍ୟ୍ୟଭାର ସମ୍ଭାଳିବା ପରେ ଏବେ ଦେଶ ଲାଗି ଆଗାମୀ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବେ। ଏଣୁ ସାଂସଦ ଦିନେଶ ଗୁଣବର୍ଦ୍ଧନେଙ୍କୁ ରାଷ୍ଟ୍ରପତି ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ଅଧିକାରୀଙ୍କ ଅନୁସାରେ ଭିକ୍ରମସିଂହେ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି।
ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ପରଦିନ ଗୁଣବର୍ଦ୍ଧନେ ମନ୍ତ୍ରୀମଣ୍ଡଳ ଗଠନ କରିବେ। ଗୁଣବର୍ଦ୍ଧନେ ଜଣେ ରାଜନେତା ଭାବେ ସାଂସଦ ସଦସ୍ୟ ଓ କ୍ୟାବିନେଟ୍ ମନ୍ତ୍ରୀ ରହିସାରିଛନ୍ତି। ୨୦୨୦ ସଂସଦ ନିର୍ବାଚନରେ ବିଜୟୀ ହେବାପରେ ତାଙ୍କୁ ବିଦେଶ ସମ୍ପର୍କିତ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଆର୍ଥିକ ସଂକଟଗ୍ରସ୍ତ ଶ୍ରୀଲଙ୍କାରେ ଗୁଣବର୍ଦ୍ଧନେ ଗୁରୁବାର ସଂସଦୀୟ ଦଳ ନେତା ମନୋନୀତ ହୋଇଛନ୍ତି। ସମ୍ବିଧାନ ଅନୁସାରେ ତାଙ୍କୁ ସଂସଦର ଅଷ୍ଟମ କାର୍ୟ୍ୟକାରୀ ଅଧ୍ୟକ୍ଷ ମନୋନୀତ କରାଯାଇଛି। ନୂଆ ରାଷ୍ଟ୍ରପତି ଓ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବାପରେ ଶ୍ରୀଲଙ୍କାର ସ୍ଥିତି ଧିରେ ଧିରେ ବଦଳିବ ବୋଲି ଆଶା କରାଯାଉଛି ।