ଏକ୍ସ ନେଲା ବଡ ନିଷ୍ପତ୍ତି ଜାଣନ୍ତୁ କଣ ?
ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର(ଏବେର X)ରେ ଆଗକୁ ଆଉ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଏନେଇ ସଙ୍କେତ ଦେଇଛନ୍ତି ମାଲିକ ଏଲନ ମସ୍କ। ଆଗକୁ ଟଙ୍କା ଦେଇ ଟ୍ୱିଟର ବ୍ୟବହାର କରିବାକୁ ପଡ଼ିବ। ବର୍ତ୍ତମାନ କେବଳ ବ୍ଲୁ ଟିକ୍ ବ୍ୟବହାରକାରୀ ଟଙ୍କା ଦେଉଥିବା ବେଳେ ଆଗକୁ ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଦେୟ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି ମସ୍କ।
ଗତବର୍ଷରୁ ବିଶ୍ୱର ଅରବପତି ଏଲନ ମସ୍କ ଟ୍ୱିଟରକୁ ନିଜ ଅଧୀନକୁ ନେବା ପରଠାରୁ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି। ପ୍ରଥମେ ପ୍ଲାଟଫର୍ମର ବରିଷ୍ଠ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ କର୍ମଚାରୀଙ୍କ ଛଟେଇ କରିଥିଲେ। ଏହାପରେ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କ ପାଇଁ ମାସିକ ଦେୟ ଲାଗୁ କରିଥିଲେ। ପ୍ଲାଟଫର୍ମରେ ଲୋଗୋ, ନାମ ଆଦି ସବୁକିଛି ପରିବର୍ତ୍ତନ କରିସାରିଛନ୍ତି ମସ୍କ। ଆଉ ଏବେ ସାଧାରଣ ବ୍ୟବହାରୀଙ୍କଠାରୁ ନେବେ ଟଙ୍କା।
ଏନେଇ ମସ୍କ କହିଛନ୍ତି ଯେ, “ଆଗକୁ X ବ୍ୟବହାରକାରୀଙ୍କୁ ଅଳ୍ପ କିଛି ଦେୟ ଦେବାକୁ ପଡ଼ିବ। ନକଲି ଆକାଉଣ୍ଟ ଯାହାକୁ ବଟ୍ କୁହାଯାଏ ଏସବୁର ମୁକାବିଲା ପାଇଁ ଏପରି ଏକ ପଦକ୍ଷେପ ନିଆଯାଉଛି।”
ତଥାପି, ସିଏନବିସି ରିପୋର୍ଟ ଅନୁଯାୟୀ, ଏହି ଫି’ କେତେ ହେବ କିମ୍ବା ଉପଭୋକ୍ତାମାନଙ୍କୁ ଏଥିପାଇଁ କେତେ ଦେୟ ଦେବାକୁ ପଡ଼ିବ ତାହା ନିର୍ଦ୍ଦିଷ୍ଟ କରିନାହାଁନ୍ତି ମସ୍କ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ସମୟରେ ମସ୍କ ମଧ୍ୟ X ବାବଦରେ କିଛି ତଥ୍ୟ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, X ରେ ବର୍ତ୍ତମାନ ୫୫ କୋଟି ଉପଭୋକ୍ତା ଅଛନ୍ତି, ଯେଉଁମାନେ ପ୍ରତି ମାସରେ ପ୍ଲାଟଫର୍ମ ବ୍ୟବହାର କରନ୍ତି ଏବଂ ପ୍ରତିଦିନ ୧୦ରୁ ୨୦ କୋଟି ପୋଷ୍ଟ କ୍ରିଏଟ୍ କରନ୍ତି।