ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ

0

ଜାମସେଦପୁର: ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଜାମସେଦପୁର ଟାଟା ମେନ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭାରତର ଇସ୍ପାତ ପୁରୁଷ ନାମରେ ପରିଚିତ ଜାମସେଦ ଜେ ଇରାନୀ ପତ୍ନୀ ଡାଇସି ଏବଂ ତିନି ପିଲାଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି।

ଇରାନୀ ୮୩ ବର୍ଷ ବୟସରେ ଟାଟା ଷ୍ଟିଲ ବୋର୍ଡରୁ ୨୦୧୧ ଜୁନରେ ଅବସର ନେଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି। ସେ ୧୯୬୩ରେ ୟୁକେର ସେଫିଲ୍ଡରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୧୯୬୮ରେ ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ। ୧୯୭୯ରେ ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୮୫ରେ ସଭାପତି ହୋଇଥିଲେ। ୧୯୯୨ରୁ ୨୦୦୧ ଜୁଲାଇ ଯାଏଁ ଟାଟାର ପରିଚାଳକ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିଲେ।ଜାମସେଦ ଜେ ଇରାନୀ ନାଗପୁର ବିଶ୍ଵ ବିଦ୍ୟାଳୟରୁ ଜୀବ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଥିଲେ। ୟୁକେର ସେଫିଲ୍ଡରେ ଡକ୍ଟରେଟ୍ ସାର୍ଟିଫିକେଟ୍‌ ପାଇବାରେ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଭୂଷଣରେ ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.