ଭୁବନେଶ୍ବର (ଆମ ଟିଭି): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରିଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ଵ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସମ୍ବାଦିକତା ଜୀବନ
ଡକ୍ଟର ପ୍ରଦୀପ ମହାପାତ୍ର ବ୍ରହ୍ମପୁରର ମୂଳ ନିବାସୀ। ୧୯୭୦ ମସିହାରେ ହାଇସ୍କୁଲରେ ପଢୁଥିବା ସମୟରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିଲେ। ସେତେବେଳେ ସେ ‘ସମ୍ୱିତ’ ନାମକ ଏକ ପତ୍ରିକାରେ ଲେଖା ଆରମ୍ଭ କରିଥିଲେ। ସେହି ସମୟରୁ ସେ ସାପ୍ତାହିକ ଓ ଦୈନିକ ସମ୍ୱାଦପତ୍ରରେ ଲେଖାଲେଖି କରିଆସିଥିଲେ।
୧୯୮୧ରେ ଡକ୍ଟର ପ୍ରଦୀପ ମହାପାତ୍ର ବେଙ୍ଗାଳୁରୁ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାମ୍ୱାଦିକତାରେ ସ୍ନାତକୋତ୍ତର ପାସ କରିଥିଲେ। ସେ ବ୍ରହ୍ମପୁରରୁ ନିଜ ସାମ୍ବାଦିକତା ଜୀବନ ଆରାମ୍ଭ କରିଥିଲେ। ଖବରକାଗଜ, ପତ୍ରିକା, ରେଡିଓ, ଟେଲିଭିଜନ, ସିନେମା ଏବଂ ଡେଭେଲପମେଣ୍ଟ କମ୍ୟୁନିକେସନ କ୍ଷେତ୍ରରେ ତାଙ୍କର ପାଞ୍ଚ ଦଶନ୍ଧିରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଥିଲା।
ଡକ୍ଟର ପ୍ରଦୀପ ମହାପାତ୍ର ଇଂରାଜୀ ସାମ୍ୱାଦିକତାରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ ୧୯୯୮ରେ ଓଡ଼ିଆ ସାମ୍ବାଦିକତାରେ ପିଏଚ୍ ଡି କରିଥିଲେ। “ଓଡ଼ିଆ ସାମ୍ୱାଦିକତାର କ୍ରମ ବିକାଶରେ ‘ଉତ୍କଳ ଦୀପିକା’ର ଭୂମିକା” ଶୀର୍ଷକ ନିବନ୍ଧ ରଚନା କରି ସେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ।
ପ୍ରଥମ ରଙ୍ଗୀନ ଓଡ଼ିଆ ପତ୍ରିକା ‘ଜନନୀ’ର ପ୍ରତିଷ୍ଠାତା ଥିଲେ ଡକ୍ଟର ପ୍ରଦୀପ ମହାପାତ୍ର। ୯୦ ଦଶକରେ ଏହା ବହୁତ ଲୋକପ୍ରିୟ ହୋଇଥିଲା। ଏହାସହ ସେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ଆଶା ଖବରକାଗଜ ସହ ସଂପୃକ୍ତ ଥିଲେ। ଡେକାନ ହେରାଲ୍ଡରେ ନିୟମିତ ତାଙ୍କର ଲେଖା ବାହାରୁ ଥିଲା। ବିଭିନ୍ନ ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ବ୍ରହ୍ମପୁର ଡାଏରୀ ତାଙ୍କର ଏକ ଆଦୃତ ସ୍ତମ୍ଭ।