ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଶପଥ ନେବେ ଦେଶର ୧୫ ତମ ରାଷ୍ଟ୍ରପତି । ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ। ଏହି ଉପଲକ୍ଷେ ତାଙ୍କୁ ୨୧ ତୋପୋ ସଲାମୀ ଦିଆଯିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଆସନ୍ତାକାଲି ସକାଳ ପ୍ରାୟ ୧୦ଟା ୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ଆୟୋଜିତ ହେବ। ପ୍ରଧାନ ବିଚାରପତି ଏନଭି ରମଣା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦର ଶପଥ ପାଠ କରାଇବେ। ଏହା ପରେ ୨୧ ତୋପୋ ସଲାମୀ ଦିଆଯିବ।
ସମାରୋହ ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ନବ ନିର୍ବାଚିତ ରାଷ୍ଟ୍ରପତି ସଂସଦ ପହଞ୍ଚିବେ। ସମାରୋହରେ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରି ପରିଷଦର ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ସରକାରଙ୍କ ଅଣ ସାମରିକଏ ଏବଂ ସାମରିକ ବିଭାଗର ଅଧିକାରୀ ଯୋଗ ଦେବେ। ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ।