ଭୁବନେଶ୍ୱର (ଆମ ଟିଭି): ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ଵର ଦ୍ଵାରା ଆୟୋଜିତ ଐତିହାସିକ ତିନିଦିନିଆ ଏକାଦଶ ମୟୁରଭଞ୍ଜ ଉତ୍ସବର ଉଦ୍ଯାପନୀ ସନ୍ଧ୍ୟା ମହାସମାରୋହରେ ସମାପନ ହୋଇଯାଇଛି। ଏହି ଉଦ୍ଯାପନୀ ସନ୍ଧ୍ୟାର ଉଦ୍ଘାଟକ ଥିଲେ ମାନ୍ୟବର ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହ ମଞ୍ଚାସୀନ ଥିଲେ ସାଧାରଣ ସମ୍ପାଦକ ଡକ୍ଟର ରଜନୀକାନ୍ତ ବିଶ୍ବାଳ, ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଓ ସମ୍ପାଦକ ସ୍ଵରୂପ ରଞ୍ଜନ ଦାସ। ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ପରେ ଆରମ୍ଭ ହୋଇଥିଲା ଉଦ୍ଯାପନୀ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

ପ୍ରଥମେ ଅଡ଼ିଓ-ଭିଜୁଆଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ମୟୁରଭଞ୍ଜ ସଂସଦର ଶୀର୍ଷକ ସଙ୍ଗୀତ। ପରିଚାଳନା କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ତାପସ ସଘରିଆ ଓ ଟିମ୍। ତା’ପରେ ଆରମ୍ଭ ହୋଇଥିଲା ଭୁବନେଶ୍ଵରସ୍ଥିତ ମୟୁରଭଞ୍ଜିଆ ଆଦିମ ଆଦିବାସୀ ସଂଘର ଭରାଂ ନୃତ୍ୟ ଏବଂ ମା’ ସୁନାମୁଇଁ ହୋ ନୃତ୍ୟ ଅନୁଷ୍ଠାନ ଦ୍ଵାରା ପରିବେଷିତ ପାରମ୍ପରିକ ଆଦିବାସୀ ନୃତ୍ୟ। ନିଛୁଆପଦାସ୍ଥିତ ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ଵାରା ପରିବେଷିତ ଉଚ୍ଚକୋଟୀର ବିଶ୍ଵପ୍ରସିଦ୍ଧ ଛଉ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ବାରିପଦାର ବିନ୍ଦୁ ଝୁମର ଗ୍ରୁପ୍ ଦ୍ଵାରା ଜମାଣିଆ ଝୁମର ଗୀତ ନାଚ ସମସ୍ତଙ୍କୁ ବିମୋହିତ କରିଥିଲା । ବାରିପଦାର ଅନୁବାଳା ମହାନ୍ତି ଗ୍ରୁପ୍, ସୂର୍ଯ୍ୟସ୍ନାତା ପାଣି ଗ୍ରୁପ୍, ଅଭିରାମ ଅଭିନୟ ଅନୁଷ୍ଠାନ, ଓରଫାନ୍ ବିଏଜ୍ ଗ୍ରୁପ୍ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ଓଲିଉଡ୍ ଓ ବଲିଉଡ୍ ମିକ୍ସ ମନ ମୁଗ୍ଧକର ଆଧୁନିକ ନୃତ୍ୟ ମନୋରଞ୍ଜନ ଖୋରାକ ଯୋଗାଇଥିବା ବେଳେ ବରିଷ୍ଠ ପ୍ରଚ୍ଛଦପଟ ସୁନାମଧନ୍ୟ ଗାୟକ ଦେବାଶିଷ ମହାପାତ୍ରଙ୍କ ଗାୟନ ସମବେତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଉଦ୍ଯାପନୀ ସନ୍ଧ୍ୟାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ସିନେ ତାରକା ସ୍ୱରାଜ ବାରିକ l ତାଙ୍କର ସ୍ୱତନ୍ତ୍ର ନୃତ୍ୟ ପରିବେଷଣ ସାଙ୍ଗକୁ ସୁପରଷ୍ଟାର ବାବୁସାନ ମହାନ୍ତି ଓ ବରିଷ୍ଠ ଅଭିନେତ୍ରୀ ସମ୍ମାନନୀୟା ଅପରାଜିତା ମହାନ୍ତିଙ୍କ ଉପସ୍ଥିତ। ମୟୁରଭଞ୍ଜ ସାଂସ୍କୃତିକ
ସଂସଦର ଲେଡ଼ିଜ୍ ଗ୍ରୁପ୍ଙ୍କ ଦ୍ଵାରା ପ୍ରଦର୍ଶିତ ରାମ୍ପ ଶୋ’ ସମବେତ ଦର୍ଶକ ମାନଙ୍କୁ ଆହ୍ଲାଦିତ କରିଥିଲା l ଉତ୍ସବର ଅନ୍ୟତମ ଆକର୍ଷଣ ପପୁ ପମ୍ ପମ୍, ହଂସରାଜ ଦାସ, ସାଗର ଲେଙ୍କା ସବାଇଘାସର କାରୁକାର୍ଯ୍ୟ ସାଙ୍ଗକୁ ମୟୁରଭଞ୍ଜର ପ୍ରସିଦ୍ଧ ସୁଆଦିଆ ବଡା ତରକାରୀ, ଆରିସା ପିଠା, ଗୁଡ଼ଲଡୁ ସମସ୍ତଙ୍କୁ ଆମୋଦିତ କରିଥିଲା।

ତୃତୀୟ ସନ୍ଧ୍ୟା ତଥା ଉଦ୍ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମ ପରିଚାଳନା ସଂସଦର ସଂପାଦକ ତଥା ଓଡ଼ିଆ ସିନେ ଜଗତର ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ କରିଥିବାବେଳେ, ଉପସ୍ଥାପନା ଦାୟିତ୍ଵରେ ଥିଲେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ସୁକାନ୍ତ ରଥ। ଏହି ତିନିଦିନିଆ ଐତିହାସିକ ମୟୁରଭଞ୍ଜ ଉତ୍ସବକୁ ମନଭରି ଉପଭୋଗ କରିବା ପାଇଁ ସମସ୍ତଙ୍କ ସକାଶେ ନିଶୁଳ୍କ ପ୍ରବେଶର ବ୍ୟବସ୍ଥା ରହିଥିଲା ବୋଲି ସଂସଦର ସମ୍ପାଦକ ତଥା ବିଶିଷ୍ଟ ଉଦ୍ୟୋଗପତି ସ୍ଵରୂପ ରଞ୍ଜନ ଦାସ ସ୍ପଷ୍ଟିକରଣ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସମ୍ପାଦକ ଡକ୍ଟର ରଜନୀକାନ୍ତ ବିଶ୍ୱାଳ।