ଭୁବନେଶ୍ୱର (ଆମ ଟିଭି): ଆହୁରି ସବୁଜ ସୁନ୍ଦର ହେବ ରାଜଧାନୀ ଭୁବନେଶ୍ୱର । ରାଜ୍ୟରେ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ୟ୍ୟାୟରେ ୧୦ ଇ-ବସ ଏବଂ ୪୫ ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ଣ ୫ଟାରେ ବିମାନ ବନ୍ଦର ରାସ୍ତାରେ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ।
ଅନ୍ୟପଟେ ସହରରେ ମାଳମାଳ ଡିଜେଲ ଚାଳିତ ଅଟୋ ଗଡିବା ଦ୍ବାରା ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେଉଛି। ପୁଣି ଟ୍ରାଫିକ ଭିଡ ଲାଗି ରହୁଛି। ତେଣୁ ଡିଜେଲ ଚାଳିତ ଅଟୋ ପରିବର୍ତ୍ତେ ଇ-ରିକ୍ସା ଚଳାଇବାକୁ ସରକାର ପ୍ରାଧ୍ୟାନ୍ୟ ଦେଇଛନ୍ତି। ଭୁବନେଶ୍ୱରକୁ ସବୁଜ ସହର ବା ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ନିଆଯାଉଛି ଏହିଭଳି ପଦକ୍ଷେପ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ଏହି ଉଦ୍ୟମକୁ ସମସ୍ତେ ସ୍ୱାଗତ କରୁଛନ୍ତି ।