ତୁର୍କୀରେ ଭୂକମ୍ପ: ସହାୟତାର ହାତ ବଢାଇଲା ଭାରତ
ନୂଆଦିଲ୍ଲୀ (ଆମ ଟିଭି): ତୁର୍କୀରେ ଭୂକମ୍ପ ପରେ ଏବେ ଛାରଖାର ତୁର୍କୀ । କାଳର କରାଳ ରୂପ ସେଠି ସମ୍ପୂର୍ଣ୍ଣ ଅଞ୍ଚଳକୁ କବଳିତ କରି ରଖିଛି । ଏହାରି ଭିତରେ ତୁର୍କୀରେ ପ୍ରାକୃତିକ ବିପର୍ୟ୍ୟୟ ପରେ ସହାୟତାର ହାତ ବଢ଼ାଇଛି ଭାରତ । ତୁର୍କୀକୁ ଭାରତ ରିଲିଫ ସାମଗ୍ରୀ ସହ ୧୦୦ ସୁରକ୍ଷାକର୍ମୀ ବିଶିଷ୍ଟ ଏନଡିଆରଏଫ ଓ ମେଡିକାଲର ଦୁଇ ଟିମ୍ ପଠାଇବ ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରେ ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ଏହା ସହ ଭାରତ ସବୁ ପ୍ରକାରର ସହାୟତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ଏଭଳି କଠିନ ସମୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇ ରହିଥିବା କହିଛନ୍ତି ଜୟଶଙ୍କର ।