ଇଡିରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

0

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି। ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। କିନ୍ତୁ ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ କହିଥିଲେ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି। ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ। ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା। ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା। ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା। ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ଭେଟ ହୋଇଥିଲା। ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା।

Leave A Reply

Your email address will not be published.