ଭୁବନେଶ୍ୱର (ଆମ ଟିଭି): ପଦ୍ମପୁର ଉପନିର୍ବାଚନରେ ବିଜେପିର ପରାଜୟ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ସେ ଜନାଦେଶକୁ ସ୍ୱୀକାର କରୁଛନ୍ତି । ତେବେ ନିର୍ବାଚନରେ ଯିଏ ଜିତେ, ସେ ବଢି ଚଢି କହିବା ସ୍ୱାଭାବିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ଭିଡିଓରେ ବାର୍ତ୍ତା ମନ୍ତବ୍ୟ ରଖୁଥିବା ବ୍ୟକ୍ତି ଭୁଲିବା ଉଚିତ୍ ନୁହଁ ଯେ, ବିଜେପିକୁ ପଦ୍ମପୁରରେ ୭୮ ହଜାରରୁ ଅଧିକ ଭୋଟ୍ ମିଳିଛି । ତା ଭିତରେ ମହିଳା ଭୋଟର ବି ସାମିଲ ଅଛନ୍ତି । ପ୍ରଜାତନ୍ତ୍ରରେ ଜିତିବା ଲୋକ ଅଧିକ କହିବେ, ହାରିବା ଲୋକକୁ ଏହା ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେପଟେ ରାଜ୍ୟରେ ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ୨୦୨୪ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ବୋଲି ସେ ଶୁଣୁଛନ୍ତି । ନିର୍ବାଚନକୁ ବହୁତ ଦିନ ଅଛି, ବହୁତ କଥା ହେବ । ମହାନଦୀ, ବୈତରଣୀରେ ଅନେକ ପାଣି ବୋହିବ । ପଦ୍ମପୁର ଫଳାଫଳ, ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବା କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।