ଘୋଷଣା ହେଲା ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ

0

ନୂଆଦିଲ୍ଲୀ : ନିର୍ବାଚନ କମିସନ (ଇସି) ଆଜି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆ‌ସନ୍ତା ନଭେମ୍ବର ୧୨ ତାରିଖ‌ରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍‌ ଗଣତି ହେବ। ଅନ୍ୟପ‌କ୍ଷେ ନିର୍ବାଚନ କମିସନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିନାହାନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ନିର୍ବାଚନ ଆଚରଣ ବିଧି (ଏମସିସି) ଅବଧି କମାଇବାପାଇଁ ହିମାଚଳ ବିଧାନସଭା ନିର୍ବାଚନରୁ ଗୁଜରାଟ ବିଧାନସଭା ନିର୍ବାଚନକୁ ପୃଥକ କରାଯାଇଛି।

ଅନ୍ୟ ଏକ ଦିନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ବିଭିନ୍ନ ଦିଗକୁ ବିଚାରକୁ ନେଇ ଅର୍ଥା‌ତ ପୂର୍ବ ନିର୍ବାଚନର ପ୍ରକ୍ରିୟା ଏବଂ ପାଣିପାଗ କଥାକୁ ବିଚାରକୁ ନେଇ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ପ୍ରଥମେ ଘୋଷଣା ହୋଇଛି। ଏ କ୍ଷେତ୍ରରେ ନିର୍ବାଚନ କମିସନ ୨୦୧୭ ଘୋଷଣାକୁ ଅନୁସରଣ କରିଛନ୍ତି। ୨୦୧୭ରେ ଉଭୟ ରାଜ୍ୟରେ ନିର୍ବାଚନ ଅଲଗା ହୋଇଥିଲା ଏବଂ ଫଳାଫଳ ଏକାଦିନରେ ଆସିଥିଲା। ଗୁଜରାଟ ଏବଂ ହିମାଚଳ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ୪୦ ଦିନ ବ୍ୟବଧାନ ରହୁଛି। ଆସନ୍ତା ବର୍ଷ ଫେବ୍ରୁଆରି ୧୮‌ରେ ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଅନ୍ୟପକ୍ଷେ ହିମାଚଳପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଜାନୁଆରି ୮ରେ ‌ଶେଷ ହେବ। ତେଣୁ ଆଚରଣବିଧି ଅବଧିକୁ କମାଇବାପାଇଁ ନିର୍ବାଚନ କମିସନ ଚଳିତ ଥର ମଧ ପୃଥକ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆଗାମୀ ସପ୍ତାହରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ।

Leave A Reply

Your email address will not be published.