ଭୁବନେଶ୍ୱର (ଆମ ଟିଭି): ଆଉ ଚଳିବନି ବିଦେଶୀ ଭାଷା । ଏଣିକି ଓଡିଆରେ ନାମଫଳକ ବାଧ୍ୟତାମୂଳକ। ରାଜ୍ୟରେ ଚଳିତ ମାସରୁ ସମସ୍ତ ଦୋକାନ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ଓଡିଆରେ ଲେଖାଯିବ ନାମଫଳକ। ନିୟମର ଖିଲାପକାରୀଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ବ୍ୟବସାୟିକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ। ଏହାସହ ଜୋରିମାନା ମଧ୍ୟ ଆଦାୟ କରାଯିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବା ପରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜୋରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାବିଭାଗ ପକ୍ଷରୁ ଏହି ନିୟମର କଡାକଡି ଅନୁଧ୍ୟାନ କରାଯିବ।
ଗତକାଲି ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।