ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ । ପାରଦ ୪୪ ଡିଗ୍ରୀ ଛୁଇଁସାରିଲାଣି । ଏହାରି ଭିତରେ ଯାହା ଖବର ଆସିଛି, ଆଜି ବି ତାତିରୁ ମିଳିବନି ତ୍ରାହି । ଆଜି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ଆକାଶରୁ ନିଆଁ ବର୍ଷିବା ପରି ତାତି ବହିଥିଲା । ୪୪ ଡିଗ୍ରୀ ସହ ବାରିପଦା ବିଶ୍ୱର ଦ୍ୱିତୀୟ ଉତପ୍ତ ସହର ପାଲଟିଥିଲା ।
ସେହିପରି ୪୨ ଦଶମିକ ୮ ଡିଗ୍ରୀ ସହ ଝାରସୁଗୁଡ଼ା ବିଶ୍ୱର ଉତପ୍ତ ସହର ତାଲିକାର ଦଶମ ସ୍ଥାନରେ ରହିଥିଲା । କଟକ, ଭୁବନେଶ୍ୱର ସମେତ ମୋଟ୍ ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ଏହା ମଧ୍ୟରୁ ୧୦ଟି ସହର ୪୨ ଡିଗ୍ରୀ ତାତିରେ କଲବଲ ହୋଇଥିଲା । ଆଜିଠୁ ତାତିର ପ୍ରକୋପ ସାମାନ୍ୟ କମିପାରେ । ଆସନ୍ତାକାଲିଠାରୁ ପାରଦ ଅଧିକ ଖସିବ । କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୭ରୁ କାଳବୈଶାଖୀ ବର୍ଷା ବ୍ୟାପକ ହେବାର ସମ୍ଭାବନା ରହଛି ।