ଖୁବ୍ ଜଲ୍ଦୀ ଗରମରୁ ମିଳିବ ଆଶ୍ୱସ୍ତି , ୨୧ରୁ ବର୍ଷା ସମ୍ଭାବନା

0

ଭୁବନେଶ୍ବର : ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଅନେକ ସ୍ଥାନରେ ତାପମାତ୍ରା ୪୩ ଓ ୪୪ ଡିଗ୍ରି ଉପରେ ରହିଛି । ଏହା ଦ୍ବାରା ଜନଜୀବନ ଗୁରୁତରଭାବେ ପ୍ରଭାବିତ ହୋଇଛି । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ହାରାହାରି ତାପମାତ୍ରାଠାରୁ ୬ ଡିଗ୍ରୀ ଅଧିକ।

ଦେଶର ଉତ୍ତର-ପଶ୍ଚିମ ଦିଗରୁ ଶୁଖିଲା ଓ ଗରମ ପବନ ବହିବା ସହିତ ପ୍ରବଳ ସୂର୍ଯ୍ୟକିରଣ ଏବଂ ବାରମ୍ବାର ଶୁଖିଲା ପାଗ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଖୁବଶୀଘ୍ର ସ୍ଥିତି ବଦଳିବାର ସମ୍ଭାବନା ରହିଛି ବୋଲି କହିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ଆସନ୍ତା ଏପ୍ରିଲ ୨୧ରୁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆରମ୍ଭ ହେବାର ସମ୍ଭାବନା ରହିଛି । ୨୦ ତାରିଖ ସନ୍ଧ୍ୟାରେ ବଲାଙ୍ଗୀର, ବାରିପଦା, ଗଜପତି, ଗଞ୍ଜାମ ଓ କୋରାପୁଟ ଆଦି ସ୍ଥାନରେ ହାଲୁକା ବର୍ଷା ଓ ବଜ୍ରପାତ ହୋଇପାରେ ।

ବର୍ତ୍ତମାନ ବିଦର୍ଭରୁ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ବିସ୍ତାରିତ ଏକ ଟ୍ରଫଲାଇନ ଧୀରେ ଧୀରେ ପୂର୍ବ ଦିଗକୁ ଗତି କରିବ ଏବଂ ପୂର୍ବ ଭାରତରେ ବର୍ଷା ହେବ। ଏପ୍ରିଲ ୨୨ ସୁଦ୍ଧା ଅନେକ ସ୍ଥାନରେ ବର୍ଷା ଓ ବଜ୍ରପାତ ବଢ଼ିବ। ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ଭାରତୀୟ ପାଣିପାଗ ବିଭାଗ ମଧ୍ୟ କହିଛି ଯେ ଆସନ୍ତା ୨୧ ତାରିଖରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୨ରୁ ୨୪ ମଧ୍ୟରେ ଦକ୍ଷିଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ଏହି ବର୍ଷା ନିଶ୍ଚିତ ଭାବରେ ତାପମାତ୍ରାକୁ ହ୍ରାସ କରିବ ଏବଂ ଗରମ ପାଗରୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ ।

Leave A Reply

Your email address will not be published.