ପରଦାକୁ ଫେରିଛନ୍ତି ଫରଦିନ ଖାନ
ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ବଲିଉଡ୍ ଅଭିନେତା ଫରଦିନ ଖାନ ଫିଲ୍ମ ସ୍କ୍ରିନରୁ ଦୂରରେ ଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ସେ ପୁଣି ବଡ ପରଦାକୁ ଫେରୁଛନ୍ତି। ଗତ ବର୍ଷ ରିତେଶ ଦେଶମୁଖଙ୍କ ସହ ଏକ ଫିଲ୍ମରେ ଫରଦିନଙ୍କ କମବ୍ୟାକ୍ ଘୋଷଣା କରାଯାଇଥିଲା। ପୂର୍ବରୁ କୁହାଯାଉଥିଲା ଫିଲ୍ମ ସିନେମାଘରେ ମୁକ୍ତିଲାଭ କରିବ। କିନ୍ତୁ ଏବେ ଏହା ସିଧାସଳଖ OTT ରେ ଆସିବ ବୋଲି ଜଣାଯାଇଛି। ଏହି ଫିଲ୍ମଟି ସଞ୍ଜୟ ଗୁପ୍ତା ଏବଂ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫରଦିନ ଖାନ କୁକି ଗୁଲାଟିଙ୍କ ଫିଲ୍ମ ‘ବିସ୍ଫୋଟ’ ସହିତ ପୁଣିଥରେ ବଲିଉଡରେ ପାଦ ଦେଉଛନ୍ତି। ସଞ୍ଜୟ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ସିନେମାଘରେ ଆସିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ନିକଟରେ ସଞ୍ଜୟ ଗୁପ୍ତା କହିଛନ୍ତି, ଫାରଦିନ ଖାନଙ୍କ କମବ୍ୟାକ୍ ଫିଲ୍ମ ଥିଏଟରରେ ନୁହେଁ ସିଧାସଳଖ OTT ରେ ଷ୍ଟ୍ରିମ୍ ହେବ। ଏକ ସାକ୍ଷାତକାରରେ ସଞ୍ଜୟ ଗୁପ୍ତା କହିଛନ୍ତି, ବକ୍ସ ଅଫିସର ପରିସ୍ଥିତି ହେତୁ ୨୦୨୩ରେ ଫିଲ୍ମକୁ ସିଧାସଳଖ OTT ରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ ଅନୁଯାୟୀ, ଫିଲ୍ମରେ ରିତେଶ ଦେଶମୁଖ ଜଣେ ପାଇଲଟ ଏବଂ ଫରଦିନ ଖାନ ଅପହରଣକାରୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏକି ରିତିଶଙ୍କ ପୁଅକୁ ଅପହରଣ କରି ନେଇଛନ୍ତି। ଏହି ଫିଲ୍ମଟି ଦକ୍ଷିଣ ମୁମ୍ବାଇ ଅଞ୍ଚଳରେ ସୁଟିଂ କରାଯାଇଛି। ଫିଲ୍ମରେ ଫରଦିନ ଏବଂ ରିତେଶଙ୍କ ବ୍ୟତୀତ ପ୍ରିୟା ବାପଟ୍, କ୍ରିଷ୍ଟଲ୍ ଡିସୁଜା, ସୀମା ବାପଟ୍ ଏବଂ ଶିବା ଚାଡ୍ଡା ମଧ୍ୟ ଅଭିନୟ କରିଛନ୍ତି।