ଘାରିଲା ଗିରଫ ଭୟ: ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବାବୁସାନ
କଟକ(ଆମ ଟିଭି): ଓଲିଉଡରେ ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କୁ ଘାରିଲା ଗିରଫ ଭୟ। ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବାବୁସାନ୍। ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ଏତଲା ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ।
ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା।ବାବୁସାନଙ୍କ ବିରୋଧରେ ନିର୍ଯାତନା ଓ ଧମକ ଦେବା ନେଇ ପତ୍ନୀ ତୃପ୍ତି ଅଭିଯୋଗ କରିଥିଲେ। ପୁଲିସ ନିକଟରେ ତୃପ୍ତି ନିର୍ଦ୍ଦିଷ୍ଟ ଭାବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ତୃପ୍ତିଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ ଓ ୫୦୬ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଆବେଦନ କରିଛନ୍ତି। ବାବୁସାନଙ୍କ ତରଫରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।