ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

0

ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁଭବଙ୍କ ନାଁରେ ଜାରି କରିଥିବା ଏହି ଏନ୍‌ବିଡବ୍ଲ୍ୟୁ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଅନୁଭବ ଆସନ୍ତା ୨୩ ତାରିଖ ମଧ୍ୟରେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଆସନ୍ତା ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ରୁଜୁ ନିର୍ଯାତନା ମାମଲାରେ ଅନୁଭବ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ନ ହୋଇ ବାରମ୍ବାର ମହଲତ ନେଇଥିଲେ। ଗତ ୧୩ ତାରିଖରେ ଅନୁଭବ କୋର୍ଟରେ ହାଜର ନ ହୋଇ ତାଙ୍କ ଓକିଲଙ୍କ ଜରିଆରେ ଏକ ପିଟିଶନ ଦାଖଲ କରି ପୁଣି ଅଧିକ ସମୟ ମାଗିଥିଲେ। ବାରମ୍ବାର ଏପରି ସମୟ ମାଗିବା ଦ୍ୱାରା ଶୁଣାଣି ବିଳମ୍ବିତ ହେଉଥିବାରୁ କୋର୍ଟ ଅନୁଭବଙ୍କ ପିଟିଶନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଏଥିସହ ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ କଟକ ପୁରୀଘାଟ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନକୋର୍ଟଙ୍କ ଏହି ଆଦେଶ ରଦ୍ଦ କରିବାକୁ ଅନୁଭବ ହାଇକୋର୍ଟରେ ପିଟିଶନ୍‌ ଦାଏର କରିଥିଲେ। ସେ ଆବେଦନରେ ଦର୍ଶାଇଥିଲେ, ଏବେ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ସେ ଭାଜପାର ଷ୍ଟାର ପ୍ରଚାରକ ଅଛନ୍ତି। ଏଥିସହ ତାଙ୍କ ମାଆଙ୍କ ଚିକିତ୍ସା ପାଇଁ ସେ ନୂଆଦିଲ୍ଲୀରେ ଥିବାରୁ ହାଜର ହୋଇପାରିନାହାନ୍ତି। ତେଣୁ ଏନ୍‌ବିଡବ୍ଲ୍ୟୁ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସେ ତାଙ୍କ ଓକିଲ ମାଧ୍ୟମରେ ଯୁକ୍ତି ରଖିଥିଲେ। କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ଯାଏ ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.