ମେ’୨୯ ସହିଦନଗରର ପ୍ଲଟ ନଂ- ୧୧୧ରେ ୧୧ ବର୍ଷ ତଳେ ଏମିତି କିଛି ଘଟିଥିଲା ଯାହା ନବୀନଙ୍କ ନିଦ ହଜେଇ ଦେଇଥିଲା ଜାଣନ୍ତୁ…

0

ଭୁବନେଶ୍ବର(ଆମ ଟିଭି): ୨୦୧୨ ମସିହା ମେ’୨୯ ତରିଖ ସହିଦନଗର ପ୍ଲଟ ନଂ- ୧୧୧, ୧୧ ବର୍ଷ ତଳେ ଯାହା ଘଟିଯାଇଥିବା ଏବେବି ସେକଥା ମନେପଡ଼ିଗଲେ ନିଶ୍ଚିତ ଚମକି ପଡ଼ୁଥିବେ ନବୀନ। ଏହା ଓଡ଼ିଶା ରାଜନୀତି ଓ ରାଜ୍ୟବାସୀଙ୍କ ପାଇଁ ଏକ ଅଭୁଲା ତାରିଖ । ମେ ୨୯ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇ ରହିଛି। କାରଣ ମେ’ ୨୯ ଓଡ଼ିଶା ରାଜନୀତି ପାଇଁ ଆତଙ୍କ, ବିଦ୍ରୋହ, ବିଶ୍ୱାସଘାତକତା ଓ ସଫଳତାର ଫେଣ୍ଟାଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ଏହି ମେ’ ୨୯ ତାରିଖ।

ଲଗାତାର ଭାବେ ୫ମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଆଜି ବି ମେ’ ୨୯ କଥା ମନେ ପଡ଼ିଲେ ଛନକା ପଶିଯାଉଥିବ ନିଶ୍ଚୟ। କାରଣ ୨୦୧୨ ମସିହା ଆଜିର ଦିନରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖା ହୋଇଥାଆନ୍ତ ଏକ ନୂଆ ଅଧ୍ୟାୟ। ସୃଷ୍ଟି ହୋଇଥାନ୍ତା ଏକ ନୂତନ ଇତିହାସ। କାରଣ କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ବହୁ ଆଗକୁ ନେଇ ଯାଇଥିଲା। କିଙ୍ଗ ମେକରରୁ ସେ ହୋଇଥାନ୍ତେ କିଙ୍ଗ। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା।

ଏକଦା ବିଜୁ ଜନତା ଦଳର ରିଙ୍ଗ୍‌ ମାଷ୍ଟର ଥିଲେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର। ଆଉ ବିଜେଡି ମୁଖିଆ ଥିଲେ ନବୀନ, ହେଲେ ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ। ସେ ଯେମିତି ନଚାଉ ଥିଲେ, ଦଳର ନେତାମାନେ ଠିକ୍‌ ‌ସେମିତି ନାଚୁଥିଲେ। ଦଳରୁ କାହାକୁ ବିଦା କରାଯିବ, କାହାକୁ ଟିକଟ ଦିଆଯିବ ଏସବୁର ରଣନୀତି ପ୍ୟାରୀ ହିଁ ପ୍ରସ୍ତୁତ କରୁଥିଲେ। ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହିଁ ଯାଉଥିଲା। ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ରାତି ଅଧିଆ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାନ୍ତି ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ରାଜ୍ୟ ରାଜନୀତିରେ ପ୍ୟାରୀ ଚର୍ଚ୍ଚିତ ହୋଇଥିଲେ। ଏସବୁ ମଧ୍ୟରେ ଚାଣକ୍ୟରୁ ରାଜା ହେବାର ନିଶା ପ୍ୟାରୀ ମହାପାତ୍ରଙ୍କ ନିଦ ହଜେଇ ଦେଇଥିଲା। ଏଥିପାଇଁ ସମୟ ସୁଯୋଗ ଦେଖି ସେ ୨୦୧୨ ମସିହା ମେ ୨୯ ତାରିଖକୁ ବାଛିଥିଲେ। ସେତେବେଳେ ତୃତୀୟ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ମିଡ୍‌ ନାଇଟ୍‌ ଅପରେସନ ଆରମ୍ଭ ହୋଇଥିଲା। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।

୨୦୧୨ ମେ ୨୯ରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ବାତ୍ୟା ସୃଷ୍ଟି ହୋଇଥିଲା। ଆଉ ବାତ୍ୟାର କେନ୍ଦ୍ରସ୍ଥଳ ଥିଲା ସହିଦନଗରର ପ୍ଲଟ ନଂ ଶହେ ଏଗାର। ସେଦିନ ପ୍ରଖରେ ବେଗରେ ଯେଉଁ ଝଡ଼ ବହିବା ଆରମ୍ଭ କରିଥିଲା ତାକୁ ଗଣମାଧ୍ୟମ ହିଁ ପ୍ରଶମିତ କରିଦେଲା। ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମଧ୍ୟ ଧରାପଡ଼ିବା ଆଗରୁ ଚତୁରତାର ସହ ଖସିଯାଇଥିଲେ। ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ଯାହା ରାଜ୍ୟ ରାଜନୀତି ପାଇଁ ଅଭୁଲା ଦିନ ମନେ ହୁଏ।

Leave A Reply

Your email address will not be published.