ପୁରୀ (ଆମ ଟିଭି): ପୁଣି ଟ୍ରେନରେ ନିଆଁ ଲାଗିଛି । ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ତତ୍କ୍ଷଣାତ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛି । କିନ୍ତୁ ଏଯାଏ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ ଆସୁଥିବା ଜଣାଯାଇଛି।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନ୍ର ବଗିଗୁଡ଼ିକର ମରାମତି ସହ ସଫା କରାଯାଉଥିଲା। ସେହି ସମୟରେ ଏକ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ସେହି ନିଆଁ ବ୍ୟାପିବାରେ ଲାଗିଲା। କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜିଆରପି ଓ ଆରପିଏଫ ଅଧିକାରୀଙ୍କ ସମେତ ରେଳବାଇର ଉପରିସ୍ଥ ଅଧିକାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।