ଜଳମଗ୍ନ ଗୁଜରାଟ, ପ୍ରବଳ ବର୍ଷାରେ ୮ ମୃତ

0

ପ୍ରବଳ ବର୍ଷା ଯୋଗୁ ଅନେକ ଗାଁକୁ ରାସ୍ତା କଟି ଯାଇଛି। ଏଥିସହ ରେଳ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପାଣି ଘେରରେ ଗୁଜରାଟ। ସୁଧୁରୁନି ବନ୍ୟା ସ୍ଥିତି। ତଳିଆ ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ବୁଡ଼ିଛି। ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି। କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ଏଠାକାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେପଟେ ବର୍ଷା ଓ ବନ୍ୟା ଯୋଗୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ସକାଳୁ ଭଦୋଦରା, ସୁରଟ, ଭରୁଚ ଏବଂ ଆନନ୍ଦ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ଏଥିପାଇଁ କେତେକ ସ୍ଥାନରେ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି। ଏହା ବ୍ୟତୀତ କେତେକ ସ୍ଥାନରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌ର ୨୦ଟି ଟିମ୍‌ ଓ ଏନ୍‌ଡିଆର୍‌ଏଫ୍‌ର ୧୦ଟି ଟିମ୍‌ ନିୟୋଜିତ କରାଯାଇଛି। ଲଗାତର ବର୍ଷା ଯୋଗୁ ଗୁଜରାଟର ସବୁଠୁ ବଡ଼ ଡ୍ୟାମ୍‌ ସର୍ଦ୍ଦାର ସରୋବର ଡ୍ୟାମ୍‌ ୫୪ ପ୍ରତିଶତ ପୂର୍ଣ୍ଣ ହୋଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (SEOC) ତଥ୍ୟ ଅନୁଯାୟୀ ଆନନ୍ଦ ଜିଲ୍ଲାର ବୋରସଡ ତାଲୁକାରେ ୧୨ ଘଣ୍ଟା ମଧ୍ୟରେ ୩୫୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

 

Leave A Reply

Your email address will not be published.