ଆଫ୍ରିକାରେ ବନ୍ୟାର ତାଣ୍ଡବଲୀଳା: ୩୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ(ଆମ ଟିଭି): ଆଫ୍ରିକାରେ ଏବେ ତାଣ୍ଡବ ରଚିଛି ବନ୍ୟା । ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି । ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଅତ୍ୟାବ୍ୟାକ ସାମଗ୍ରୀ ଯୋଗାଇଦେବାରେ ଏଠିକାର ସରକାର ଲାଗିପଡିଛନ୍ତି । ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି । ସରକାରୀ ଆକଳନ ଅନୁସାରେ ୩୨୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବଂ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ମଲାୱିର ଅଧିକାଂଶ ସ୍ଥାନ ପାହାଡିଆ ହୋଇଥିବାରୁ ଏଠାରେ ଏକ ପ୍ରକାର ବାଦଲଫଟା ବର୍ଷା ସାଙ୍ଗକୁ ଭୀଷଣ ଝଡ କାଳ ହୋଇଛି । ପାହାଡରୁ ଦ୍ରୁତ ବେଗରେ ଆସୁଥିବା ପାଣିରେ ଅନେକଙ୍କ ଘର ଭାସିଯାଇଛି । ଅଧିକାଂଶ ଘର ପାହାଡରୁ ବହି ଆସିଥିବା ମାଟିରେ ପୋତି ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।