ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ପରେ ସତର୍କ ହେଲା ଗଣଶିକ୍ଷା ବିଭାଗ: ଛାତ୍ରୀ ସୁରକ୍ଷା ପାଇଁ ନେଲା ବଡ଼ ପଦକ୍ଷେପ

0

ଭୁବନେଶ୍ଵର (ଆମ ଟିଭି): ବାଲେଶ୍ୱର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ପରେ ଗଣଶିକ୍ଷା ବିଭାଗକୁ ଚେତା ପସିଛି। ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଯୌନ ନିର୍ଯାତନା କିମ୍ବା ଅନ୍ୟାନ୍ୟ ଅଭିଯୋଗଗୁଡିକୁ ରୋକିବା ପାଇଁ ଗଣଶିକ୍ଷା ବିଭାଗ ସଜାଗ ହୋଇଛି। ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ନିଜ ନିଜ ଜିଲ୍ଲାରେ ଥିବା ସ୍କୁଲମାନଙ୍କରେ ଏହି କମିଟି ଗଠନ କରିବାକୁ କୁହାଯାଇଛି। କଡାକଡି ନିୟମ ଲାଗୁ ପାଇଁ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ ରହିଛି।

ଏହି ପଦକ୍ଷେପ ଦ୍ୱାରା ସ୍କୁଲ ପରିସରରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଯୌନ ନିର୍ଯାତନା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କିତ ମାମଲାଗୁଡିକୁ ସମାଧାନ ପାଇଁ ଏକ ସ୍ବଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଗଠନ କରାଯିବ। ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଯୌନ ନିର୍ଯାତନା ନିବାରଣ ଆଇନ, ୨୦୧୩ (POSH Act) ଅନୁଯାୟୀ ଗଠନ କରାଯିବ।

ସ୍ବତନ୍ତ୍ର ଭାବେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରିକି ହେଲ୍ପ ଲାଇନ୍ ନମ୍ୱର୍ ସ୍କୁଲ୍ କାନ୍ଥରେ ଡିସ ପ୍ଲେ କରିବା ସହ ଲିଙ୍ଗଗତ ସମାନତା ନେଇ ବର୍ଣ୍ଣାଳି ପାଠ୍ୟକ୍ରମରେ ସାମିଲ୍ କରି ଛାତ୍ରଛାତ୍ରୀଙ୍କୁ ଉଚିତ୍ ଶିକ୍ଷା ଦେବା ଯୋଜନା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ, ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ଆପଣାଇଛି।

ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ସବୁ କଲେଜରେ ଆଭ୍ୟନ୍ତରୀଣ କମିଟି ଗଠନ ବାଧ୍ୟତାମୂଳକ ନେଇ ବଡ଼ ନିର୍ଦ୍ଦେଶ ଆସିଥିଲା। ସବୁ କଲେଜ, ବିଶ୍ବବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ।

Leave A Reply

Your email address will not be published.