ନୂଆଦିଲ୍ଲୀ (ଆମ ଟିଭି): ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ । ଏଥିପାଇଁ ଆର୍ଥିକ ବଜେଟ୍ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ଏବେ ଆସି ଆସିଛି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଙ୍କ ପ୍ରତିକ୍ରୀୟା । ସେ ମଧ୍ୟବିତ୍ତର ଶ୍ରେଣୀରୁ ଆସିଥିବାରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନ ଅଛନ୍ତି ବୋଲି ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ ପରି ଏ ବର୍ଷ ବି ଆଶା କରାଯାଉଛି ଯେ, ଆଗାମୀ ବଜେଟ୍ରେ ଅର୍ଥମନ୍ତ୍ରୀ ‘ଟ୍ୟାକ୍ସ୍ ସ୍ଲାବ୍’ରେ ପରିବର୍ତ୍ତନ କରିବେ। କାରଣ ୨୦୨୪ ଗ୍ରୀଷ୍ମକାଳରେ ସାଧାରଣ ନିର୍ବାଚନ ହେବାକୁ ଥିବା ବଳେ ସରକାରଙ୍କର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ର ସହଯୋଗୀ ସାପ୍ତାହିକ ‘ପଞ୍ଚଜନ୍ୟ’ ପତ୍ରିକାଦ୍ବାରା ଆୟୋଜିତ କାର୍ୟ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି, ମୁଁ ବି ମଧ୍ୟବିତ୍ତ ଶ୍ରେଣୀର। ତେଣୁ, ମଧ୍ୟବିତ୍ତ ଶ୍ରେଣୀର ସମସ୍ୟା କଥା ମୁଁ ଜାଣିଛି।
ଏହି ସମୟରେ ଉପସ୍ଥିତ ଶ୍ରୋତାଙ୍କୁ ସେ ସ୍ମରଣ କରାଇ ଦେଲେ ଯେ, ମୋଦୀ ସରକାର ମଧ୍ୟବିତ୍ତ ଶ୍ରେଣୀ ଉପରେ କୌଣସି ନୂଆ ଟିକସ ଲାଗୁ କରିନାହାନ୍ତି। ୫ ଲକ୍ଷ ପର୍ୟ୍ୟନ୍ତ ଆୟ ଅର୍ଥ ଉପରେ ଆୟକର ଛାଡ଼ କରାଯାଇଛି ଏବଂ ଅନେକ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନଯାପନ ସୁବିଧା ନିମନ୍ତେ ସରକାର ୨୭ଟି ନଗରୀରେ ମେଟ୍ରୋ ରେଳ ନେଟ୍ୱାର୍କ ବିକାଶ କରିବା ସହିତ ୧୦୦ଟି ସ୍ମାର୍ଟ ସିଟି ନିର୍ମାଣ କରୁଛନ୍ତି।