ଜଳୁଛି ଜଙ୍ଗଲ : ମନ୍ତ୍ରୀ କହୁଛନ୍ତି ବେଶି ନିଆଁ ଲାଗିନି, ଆମେ ସଚେତନ ଅଛୁ
ଖରାଦିନ ଆରମ୍ଭ ନହେଉଣୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି । ଖାସ କରି ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯଦି ସ୍ଥିତି ଏମିତି ହେଲାଣି ତାହାଲେ ଆଗାମୀ ଦିନରେ କଣ ହେବ ବୋଲି ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜଙ୍ଗଲ ନିଆଁ ପ୍ରତି ସରକାର ସଚେତନ ଅଛନ୍ତି । ଜଙ୍ଗଲକୁ ଲାଗିଥିବା ଗାଁ ଗୁଡିକରେ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାନ୍ତି । ହେଲେ ଏବେ ରାଜ୍ୟରେ ବିଶେଷ ନିଆଁ ଲାଗିନାହିଁ । ୩୧୦ ଛୋଟ ଛୋଟ ପଏଣ୍ଟରେ ଏବେ ନିଆଁ ଲାଗିଛି ।
ନିଆଁକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସ୍କ୍ବାଡ୍ ଅଛନ୍ତି । ଘନ ଜଙ୍ଗଲରେ ନିଆଁ ରୋକିବା ସେମାନଙ୍କ ଲକ୍ଷ୍ୟ ରହିଛି । ଆମ ଜଙ୍ଗଲ ସୁରକ୍ଷିତ ଅଛି । ୫୨ ହଜାର ସ୍କୋୟାର କିଲୋମିଟର ଜଙ୍ଗଲ ଆମର ଅଛି । ଗ୍ରାମ ଜଙ୍ଗଲରେ ସାଧାରଣ ଲୋକ ମହୁଲ ପାଇଁ ନିଆଁ ଲଗାଇଥାନ୍ତି । ସବୁଠୁ ବଡ଼ କଥା ହେଲା ଏଯାଏଁ ଶିମିଳିପାଳରେ ନିଆଁ ଲାଗି ନାହିଁ । ଘଞ୍ଚ ଜଙ୍ଗଲରେ ସ୍କ୍ବାଡ୍ ଜଗୁଛନ୍ତି। ଡ୍ରୋନ କ୍ୟାମେରା ବି ଲାଗିଛି । ଫାୟାର ପଏଣ୍ଟକୁ ନଜରରେ ରଖାଯାଇଛି । ଚଳିତ ବର୍ଷରୁ ନିଆଁ ଲିଭା କାର୍ଯ୍ୟରେ ଗାଁ ଲୋକଙ୍କ ନିୟୋଜିତ କରାଯିବାର ଯୋଜନା ରହିଛି । ଏଥିପାଇଁ ପ୍ରତେକ ଗାଁକୁ ଏସଏଚ୍ଜି ମାଧ୍ୟମରେ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।