ଭାରତୀୟ କ୍ରିକେଟ୍ ଟିମର ଥିଲେ ଅଧିନାୟକ, ଆଜି ମନ୍ତ୍ରୀ ଭାବେ ନେଲେ ଶପଥ
ଭାରତୀୟ କ୍ରିକେଟ ଦଳର ପୂର୍ବ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ କେବେ ଭାରତୀୟ କ୍ରିକେଟର ଟିମ୍ ସମ୍ଭାଳିଥିଲେ । ଏବେ ସେ ତେଲେଙ୍ଗାନା ସରକାରରେ ଭାଗ ନେଇଛନ୍ତି । କଂଗ୍ରେସ ନେତା ତଥା ପୂର୍ବ କ୍ରିକେଟର ଆଝାରୁଦ୍ଦିନ ଶୁକ୍ରବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମନ୍ତିମଣ୍ଡଳରେ ସାମିଲ ହୋଇଛନ୍ତି । ରାଜଭବନରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ । ଆଝାରୁଦ୍ଦିନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଏବେ ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରିଙ୍କ ସଂଖ୍ୟା ୧୬ ରେ ପହଂଚିଛି । ଏବେ ବି ଆହୁରି ୨ ଟି ମନ୍ତ୍ରିପଦ ଖାଲି ରହିଛି । ବିଧାନସଭା ଆକାରକୁ ନେଇ ତେଲେଙ୍ଗାନା ସରକାରରେ ସର୍ବାଧିକ ୧୮ ମନ୍ତ୍ରୀ ରହିପାରିବେ । ମହମ୍ମଦ ଆଝାରୁଦ୍ଦିନ ଅଗଷ୍ଟମାସ ଶେଷ ସପ୍ତାହରେ ରାଜ୍ୟପାଳଙ୍କ କୋଟାରେ ବିଧାନ ପରିଷଦ ସଦସ୍ୟ ଭାବେ ନାମିତ ହୋଇଥିଲେ । ସେ ୨୦୨୩ ବିଧାନସଭା ନିର୍ବାଚନରେ ଜୁବଲି ହିଲ୍ ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।