ନୂଆପଡ଼ାରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ନୂଆପଡ଼ାରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜମୁଛି ଉପନିର୍ବାଚନ ପ୍ରଚାର , ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଜୋରଦାର ପ୍ରଚାର ପରେ ଆଜି ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ସେଠାରେ ଆଜି ତାଙ୍କର ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋଙ୍କ ଏହା ଦ୍ବିତୀୟ ନୂଆପଡ଼ା ଗସ୍ତ ।

ପୂର୍ବରୁ ମଧ୍ୟ  ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ନବୀନ ପଟ୍ଟନାୟକ ତରବୋଡ଼ ସମ୍ଭବ ନିକଟସ୍ଥ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଜୟ ମା’ ମାଣିକେଶ୍ୱରୀ ସମ୍ବୋଧନ ସହ ନବୀନ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ। ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ୍‌ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା।  ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିସନ୍‌ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା । ‌

ଖାଲି ସେତିକି ନୁହେଁ , ସେ ବିଜେପିକୁ ସମାଲୋଚନା କରି ସେ କହିଲେ, ସେମାନେ ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ । ଏ ସରକାର ‘ଗେମ୍ ଚେଞ୍ଜର’ ନୁହେଁ  ‘ନେମ୍‌ ଚେଞ୍ଜର’ ସରକାର, ରଙ୍ଗମରା ସରକାର ।  ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ୩ ଶହ ୟୁନିଟ୍‌ ବିଜୁଳି ମାଗଣାରେ ଦିଆଯିବ ବୋଲି କହିଥିଲା ।  ବର୍ତ୍ତମାନ ଓଡ଼ିଶାବାସୀ ଏହାର ଜବାବ ମାଗୁଛନ୍ତି । ସେହିପରି ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନ୍‌ସନ୍‌, କଟ୍‌ନିଛଟ୍‌ନି ବନ୍ଦ ହେବ ପ୍ରତିଶ୍ରୁତି ପାଳନ କରି ନାହାନ୍ତି । ବିଏସ୍‌କେୱାଇ କାର୍ଡକୁ ବନ୍ଦକରି ଆୟୁଷ୍ମାନ ଆରମ୍ଭ କରିଛନ୍ତି । ଫଳରେ ଓଡ଼ିଶାର ବହୁ ରୋଗୀ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି , ମହିଳାମାନେ ସୁରକ୍ଷିତ ନାହାନ୍ତି ।

Leave A Reply

Your email address will not be published.