ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍ ନ ପାଇବାରୁ ‘ଅପମାନ’ ବୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍ ଶନିବାର ଦିନ ‘ବିଜେପି’ରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଶନିବାର ରାତିରେ ତାଙ୍କ ବାସଭବନରେ ଚାଲିଥିବା ବୈଠକ ବିଫଳ ହେବା ପରେ ସେ ‘ବିଜେପି’ରୁ ଇସ୍ତଫା ଦେବେ ବୋଲି କହିଲେ।
ଏହାଛଡ଼ା, ବିଧାନସଭାରୁ ମଧ୍ୟ ଇସ୍ତଫା ଦେବେ ବୋଲି ୬୭ ବର୍ଷିୟ ଶେଟ୍ଟାର୍ କହିଛନ୍ତି। କିନ୍ତୁ, ନିଶ୍ଚୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଏକଦା ରାଜ୍ୟରେ କଂଗ୍ରେସ ଶାସନ ବେଳେ ବିରୋଧୀ ଦଳର ନେତା ଥିବା ଶେଟ୍ଟାର୍ କହିଛନ୍ତି।
ରାଗିଥିବା ଭଳି ମନେ ହେଉଥିବା ଶେଟ୍ଟାର୍ ସାମ୍ବାଦିକମାନଙ୍କୁ କହିଛନ୍ତି, ବିଧାନସଭାରୁ ମଧ୍ୟ ଇସ୍ତଫା ଦେବି ବୋଲି ଠିକ୍ କରିଛି। ସମ୍ପ୍ରତି ସିର୍ସିରେ ଥିବା ବାଚସ୍ପତି ବିଶ୍ବେଶ୍ବର ହେଗ୍ଡ଼େ କାଗେରିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ।
ସେ ଆହୁରି ମଧ୍ୟ କହିଛନ୍ତି, ବଡ଼ ମନକଷ୍ଟରେ ଦଳରୁ ଇସ୍ତଫା ଦେବି। ମୁଁ ହିଁ ଦଳ ଗଠନ କରି ଦଳକୁ ଠିଆ କରାଇଥିଲି। ଦଳର କେତେକ ନେତା ମୁଁ ଇସ୍ତଫା ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ମତେ ଯେଭଳି ଅପମାନିତ କଲେ ସେଥିରୁ ଜଣାପଡୁଛି ଯେ, ଜଗଦୀଶ ଶେଟ୍ଟାର୍ କ’ଣ ସେମାନେ ବୁଝି ପାରିନାହାନ୍ତି। ସେମାନଙ୍କ ଉପେକ୍ଷା ମତେ ମର୍ମାହତ କରିଛି। ସେଥିପାଇଁ ଚୁପ୍ଚାପ୍ ନ ବସି ସେମାନଙ୍କୁ ଚାଲେଞ୍ଜ୍ କରିବା ଉଚିତ ବୋଲି ଭାବିଲି। ସେହି ଦୃଷ୍ଟିରୁ ମୁଁ ନିର୍ବାଚନ ଲଢ଼ିବି ବୋଲି କହୁଛି।