କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

0

ଅହମଦାବାଦ (ଆମ ଟିଭି): ଗୁଜୁରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ଧରଣର ଓଲଟପାଲଟ ଦେଖାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କ ପୁଅ ଶୁକ୍ରବାର ବିଜେପିକୁ ଜୋରଦାର ଝଟକା ଦେଇଛନ୍ତି। ମହେନ୍ଦ୍ର ସିଂହ ବାଘେଲା କଂଗ୍ରେସରେ ଯୋଗ ଦେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ସେ ଶୁକ୍ରବାର କଂଗ୍ରେସ କାର୍ୟ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ଲାଗି ଝଟକା ସାବ୍ୟସ୍ତ ହୋଇଛି।

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ବଡ଼ ଘଟଣାକ୍ରମ ବୋଲି ଏବେ କୁହାଯାଉଛି। ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏପର୍ୟ୍ୟନ୍ତ ତାରିଖ ଘୋଷଣା କରି ନାହାନ୍ତି। ତେବେ ରାଜନୈତିକ ଦଳମାନେ ନିଜ ନିଜ ପାର୍ଟିର ପ୍ରଚାର ପ୍ରସାରରେ ଲାଗିପଡିଲେଣି। ଏହା ସହ ରାଜ୍ୟ ରାଜନୀତିରେ ଦଳବଦଳ ମଧ୍ୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ମହେନ୍ଦ୍ର ସିଂହ ବାଘେଲା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ମହେନ୍ଦ୍ର ସିଂହ ବାଘେଲା ପୂର୍ବରୁ କଂଗ୍ରେସରେ ଥିଲେ। ତେବେ ୩ ମାସ ପୂର୍ବେ ସେ ବିଜେପିରେ ଯୋଗ ଦେଇଥିବା ବେଳେ ଅଚାନକ କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେବା ସହ ପାର୍ଟି କାର୍ୟ୍ୟାଳୟକୁ ଯାଇ ପୁଣି ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଏ ନେଇ ମହେନ୍ଦ୍ର ସିଂହ ତାଙ୍କ ଇସ୍ତଫା ପତ୍ର ଗୁରୁବାର ରାଜ୍ୟ ବିଜେପି ମୁଖ୍ୟ ଜିତୁ ଭାଗାନୀଙ୍କୁ ପଠାଇ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଯୋଗୁ ଦଳରୁ ଇସ୍ତଫା ଦେଇଥିବା ସୂଚିତ କରିଛନ୍ତି।

Leave A Reply

Your email address will not be published.