ଅହମଦାବାଦ(ଆମ ଟିଭି): ଗୁଜୁରାଟରେ ନିର୍ବାଚନକୁ ନେଇ ଚାଲିଛି ଛକାପଞ୍ଝା । ଏହାରି ଭିତରେ ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜାରି ରହିଛି। ଚଳିତ ମାସ ଆରମ୍ଭରୁ ବିଜେପି ଛାଡ଼ିଥିବା ଗୁଜରାଟର ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ ଆଜି ବିରୋଧୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ତାଙ୍କୁ ଦଳରେ ବିଧିବଦ୍ଧ ଭାବେ ମିଶାଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉପସ୍ଥିତି ଥିଲେ। ସେ ୭୫ ବର୍ଷୀୟ ଜୟ ନାରାୟଣଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜୟ ନାରାୟଣ ମନ୍ତ୍ରୀ ହୋଇଥିଲେ। ସେ ବିଜେପିର ଜଣେ ଭେଟରାନ ଭାବେ ପରିଚିତ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଅର୍ଥାତ ନଭେମ୍ବର ୫ରେ ସେ ବିଜେପିକୁ ବାଏବାଏ କହିଥିଲେ। ଏବେ ସେ କଂଗ୍ରେସରେ ସାମିଲ ହୋଇ ବିଜେପି ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।