ପୂର୍ବତନ ଓଡିଶା କ୍ରିକେଟର ସୌରଜୀତ ଆରମ୍ଭ କଲେ ଅଲିଭ ରିଡଲେ ପ୍ଲାଟଫର୍ମ
ଭୁବନେଶ୍ୱର (ଆମ ଟିଭି): ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ବ୍ୟାକୁଳ । କିଏ ଜିମ୍ ଯାଇ ବ୍ୟାୟାମ କରୁଛି ତ କିଏ ଯୋଗ ଓ ପ୍ରାଣାୟମ କରୁଛି । କିନ୍ତୁ ଗୋଟିଏ ଛାତ ତଳେ ଏ ତମାମ ସମସ୍ୟାର ସାମଧାନ ପାଇଁ ଯୁବ କ୍ରିକେଟର ଆଣିଛନ୍ତି ନୂଆ ପ୍ଲାଟଫର୍ମ । ଯାହାକୁ ନେଇ ଏବେ ଚର୍ଚ୍ଚାରେ ପୂର୍ବତନ ଓଡିଶା ଜୁନିଅର କ୍ରିକେଟର ସୌରଜିତ ପ୍ରଧାନୀ । ତାଙ୍କର ନୂଆ ପ୍ଲାଟଫର୍ମର ନାଁ ରହିଛି ‘ଅଲିଭ ରିଡଲେ’ । ଏହା ଓଡିଶାର ପ୍ରଥମ ସ୍ୱାସ୍ଥ୍ୟ ଭିତ୍ତିକ ପ୍ଲାଟଫର୍ମ ଅଟେ ଯେଉଁଥିରେ କ୍ରୀଡା, ସ୍ୱାସ୍ଥ୍ୟ ସହ ମାନସିକ ବିକାଶ ସମ୍ପର୍କରେ ସୁବିଧା ମିଳିପାରିବ ।
‘ଅଲିଭ ରିଡଲେ’ ଏବେ ପ୍ରଥମେ ଚେସ ଓ କ୍ରିକେଟ ଭଳି କ୍ରୀଡାକୁ ଫୋକସ କରୁଛି । ପରବର୍ତ୍ତୀ ସମୟର ଅନ୍ୟାନ୍ୟ କ୍ରୀଡା ଉପରେ ଏହା କାମ କରିବ । ଏହାସହ ଶିଶୁ ଅବସ୍ଥାରୁ ମାନସିକ ପ୍ରଶିିକ୍ଷଣ ଦେବ ଏହି ପ୍ଲାଟଫର୍ମ । ଶୈଶବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଖେଳକୁଦ ସହ ବିଶ୍ୱସ୍ତରୀୟ ଯୋଗ ପ୍ରଶିକ୍ଷଣ ମାଧ୍ୟମରେ କିଭଳି ମାନସିକ ଓ ଶାରିରୀକ ବିକାଶ କରାଯାଇପାରିବ ତାହାର ଏକମାତ୍ର ମାଧ୍ୟମ ହେବ ‘ଅଲିଭ ରିଡଲେ’ । ବିଶିଷ୍ଟ ପ୍ରଶିକ୍ଷକମାନେ ଏହି ପ୍ଲାଟଫର୍ମ ଜରିଆରେ ଟ୍ରେନିଂ ଦେବେ ବୋଲି ଏହାର ପ୍ରତିଷ୍ଠାତା ସୌରଜିତ ପ୍ରଧାନୀ ସୂଚନା ଦେଇଛନ୍ତି ।
କଷ୍ଟମାଇଜ୍ ଡାଏଟ ପ୍ଲାନ, ପ୍ରୋଟିନ ଓ କ୍ୟାଲୋରୀ କଣ୍ଟ୍ରୋଲ ସହ କାର୍ବୋହାଇଡ୍ରେଟ ଓ ଫାଇବର ସନ୍ତୁଳନ ଶାରୀରିକ ଗଠନ ଓ ବିକାଶ କରେ । ତେଣୁ ‘ଅଲିଭ ରିଡଲେ’ ଆରମ୍ଭ କରିଛି ଏହାର ସ୍ୱତନ୍ତ୍ର ଡ୍ରାଇଭ ଯାହାର ନାଁ ରହିଛି ‘ଟ୍ରେନ୍ ଦି ଟ୍ରେନରର୍ସ’ । ଯେଉଁଥିରେ ପ୍ରଶିକ୍ଷଣ ସହ ପ୍ରମାଣପତ୍ର ମଧ୍ୟ ଦିଆଯିବ । କାଶୀପୁର ଆଇଆଇଏମରୁ ଶିକ୍ଷାଗ୍ରହଣ କରିବା ପରେ ସୌରଜିତ ଓଡିଶାରେ ଉଦୀୟମାନ କ୍ରିକେଟର ଭାବେ ଅନେକ ସୁନାମ ଅର୍ଜନ କରିଛନ୍ତି । ଜାତୀୟ ସ୍ତରରେ ତାଙ୍କ ପୁସ୍ତକ ଓ ପ୍ରବନ୍ଧ ତାଙ୍କୁ ଯୁବ ଲେଖକର ମର୍ଯ୍ୟାଦା ପ୍ରଦାନ କରିଛି । ତାଙ୍କ ପ୍ରତିଷ୍ଠିତ ‘ଅଲିଭ ରିଡଲେ’ ଓଡିଶାରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସୌରଜିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।