ଭୁବନେଶ୍ବର (ଆମ ଟିଭି): ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ।
କାହ୍ନୁ ଚରଣ ଲେଙ୍କା ୧୯୯୫-୨୦୦୦ ମସିହା ଯାଏ ଚୌଦାର ବିଧାୟକ , ୧୯୮୮-୯୪ ମସିହା ଯାଏ ରାଜ୍ୟ ସଭା ଏମ୍ପି ଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ ।
ରେଳମନ୍ତ୍ରୀ ଥିବା ସମୟରେ ପ୍ରତୀକାତ୍ମକ ହୀରାଖଣ୍ଡ ଏକ୍ସପ୍ରେସ୍ ଆରମ୍ଭ କରିବାରେ ତାଙ୍କ ଅବଦାନକୁ କୋରାପୁଟବାସୀ ସର୍ବଦା ମନେ ରଖିବେ ।
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।