ଓଡ଼ିଶାକୁ ବାତ୍ୟା ଭୟ

0

ଭୁବନେଶ୍ବର : ଶୁକ୍ରବାର ଦିନ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରିତ ହୋଇଛି। ଏଥିସହ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରିତ ହୋଇଛି। ଆସନ୍ତା ୩ଦିନ ମଧ୍ୟରେ ପୂର୍ବ-ଭାରତର ଅନେକ ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ହେଉଛି। ସେହିଭ​ଳି ଆସନ୍ତା ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଭାରତର ଅବଶିଷ୍ଟ ଅଞ୍ଚଳ ଓ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ।

ଅପରପକ୍ଷେ, ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଦିନ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି। ଏହାର ପ୍ରଭାବ କ’ଣ ରହିବ, ଏ‌ହା କେତେମାତ୍ରାରେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ କିମ୍ବା ଏହାର ଗତି କେଉଁ ଦିଗରେ ରହିବ, ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ମୌସୁମୀ ଯଦି ରାଜ୍ୟରୁ ଆସନ୍ତା ୨୧ ତାରିଖ ଭିତରେ ଫେରିଯାଏ, ଓଡ଼ିଶାକୁ ବାତ୍ୟା ଆଶଙ୍କା ରହୁଛି ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶୁକ୍ରବାର ଦିନ ଭୁବନେଶ୍ବରରେ ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ୨୬.୮ ମିମି ବ‌ର୍ଷା, ଚାନ୍ଦବାଲିରେ ୭.୪ମିମି, ଯାଜପୁରରେ ୮ ମିମି, ନବରଙ୍ଗପୁରରେ ୬ ମିମି ବର୍ଷା ହୋଇଯାଇଛି। ଆଜି ମଧ୍ୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Leave A Reply

Your email address will not be published.