ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ପୂରଣ ହେବ ଭୁବନେଶ୍ୱରରୁ ଜୟପୁର ବିମାନ ସେବା । ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ। ଶୁକ୍ରବାର ରାତିରେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ଏହା ଜଣାଯାଇଛି।
ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ୩୧ତାରିଖରୁ ଏହି ବିମାନସେବା ଆରମ୍ଭ ହେବ। ଏଥିପାଇଁ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍ରୁ ଅନ୍ଲାଇନ୍ ଟିକେଟ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ରାଉରକେଲା ସହରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଖୁବ୍ଶୀଘ୍ର ଏଥର ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡ଼ିବ। ବାଣିଜ୍ୟିକ ବିମାନ ସେବାପାଇଁ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଓ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଟିଆ ଲିମିଟେଡ୍(ସେଲ୍) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି।