ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା, ମନ୍ତ୍ରଧ୍ୱନିରେ ମୁଖରିତ ହେବ ପରିବେଶ…
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଆସି ପହଞ୍ଚିଛନ୍ତି। ବଡ଼ିଭୋରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘ ମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ନିଜର ଆସ୍ଥାନ ଜମାଇ ସାଧୁସନ୍ଥମାନେ ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଲେଣି। କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ସାଧନା ପାଇଁ ଆସୁଥିବାବେଳେ ଚଳିତବର୍ଷର ମଧ୍ୟ ଉତ୍ସାହର ସହ ଏହି କୁମ୍ଭ ମେଳା ପାଇଁ ଭିଡ଼ ପରିଲକ୍ଷିତ ହେବା ଆଶା କରାଯାଉଛି। ସାଧୁସନ୍ଥମାନଙ୍କ ହୋମଯଜ୍ଞ ସାଙ୍ଗକୁ ମୀନାବଜାର ଜମିବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନେଙ୍କ ଷ୍ଟଲ୍ ପ୍ରସ୍ତୁତ କରିସାରିଛନ୍ତି।
ମେଳାକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଆହ୍ୱାନ
ସାରା ବିଶ୍ୱରେ ପ୍ଲାଷ୍ଟିକ ମହାମାରୀର ରୂପ ଧାରଣ କରିସାରିଛି। ଗାଁରୁ ସହର, ସହରରୁ ଜଙ୍ଗଲ, ଜଙ୍ଗଲରୁ ହ୍ରଦ, ହ୍ରଦରୁ ମହାସାଗର ଧୀରେ ଧୀରେ ପ୍ଲାଷ୍ଟିକ ତାର କାୟାବିସ୍ତାର କରିଚାଲିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ଲାଷ୍ଟିକ ମାଟିରେ ମିଶୁନଥିବାରୁ ଫସଲ କ୍ଷତି ଓ ଜଙ୍ଗଲ କ୍ଷୟର କାରଣ ପାଲଟୁଛି। ବିଶେଷକରି ବିଭିନ୍ନ ମେଳା ମହୋତ୍ସବରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ୪ ତାରିଖରୁ ଭୁବନେଶ୍ୱରରେ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମେଳାରେ ପ୍ଲାଷ୍ଟିକ୍ ବ୍ୟବହାର ରୋକିବାକୁ ଆହ୍ୱାନ ଦିଆଯାଇଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ଜନସମାଗମ ହୋଇଥାଏ। ମେଳାରେ ଜରି, ବୋତଲ, ପଲଥିନ୍ ଆଦି ବହୁଳ ପରିମାଣରେ ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଏମ୍ସି କମିସନର ଖଣ୍ଡଗିରି ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ପ୍ରତାପ କୁମାର ସାହୁ ଅନୁରୋଧ କରିଛନ୍ତି। ଏହାସହ ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀ ଏବଂ ଦର୍ଶକମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍ ବଦଳରେ କପଡ଼ା ବ୍ୟାଗ ଧରି ଖଣ୍ଡଗିରି ମେଳାରୁ ବିଭିନ୍ନ ସାମଗ୍ରୀ କିଣନ୍ତୁ ବୋଲି ନିବେଦନ କରିଛନ୍ତି।