କଂଗ୍ରେସ ଟାର୍ଗେଟରେ ଶରତ ପାୱାର
ମୁମ୍ବାଇ : ମୁମ୍ବାଇର ଗୁରୁତ୍ବପୂର୍ଣ୍ଣ ଅନ୍ଧେରି ପୂର୍ବ ଉପନିର୍ବାଚନରେ ଲଢ଼େଇ ହେବନି। ଉପନିର୍ବାଚନରୁ ବିଜେପି ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିଛି। ବିଜେପିର ମୁରଜି ପଟେଲ ଗତକାଲି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ସେ ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀର ପ୍ରାର୍ଥୀ ରୁତୁଜା ଲଟକେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିଲେ। ରୁତୁଜା ଲଟ୍କେଙ୍କ ସ୍ବାମୀଙ୍କ ଚଳିତ ବର୍ଷ ମୃତ୍ୟୁ ହୋଇଛି। ବିଜେପି ପ୍ରାର୍ଥୀ ପ୍ରତ୍ୟାହାର କରିବାପରେ ରୁତୁଜା ଅନ୍ଧେରି ପୂର୍ବ ନିର୍ବାଚନମଣ୍ଡଳୀରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ତେବେ ବିଜେପିର ପ୍ରାର୍ଥୀ ପ୍ରତ୍ୟାହାର ନିଷ୍ପତ୍ତି ପଛରେ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ରାଜ୍ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ହାତ ରହିଥିଲା | ରାଜ୍ ଠାକରେ ଲେଖିଥିଲେ ଯେ ସ୍ବର୍ଗତ ରମେଶ ଲଟକେଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଉ। ରମେଶ ଲଟକେ ଜଣେ କର୍ମୀରୁ କିଭଳି ବିଧାୟକ ହୋଇଥିଲେ ତାହା ମୁଁ ଦେଖିଛି। ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ବିଧାୟକ କରାଗଲେ ତାଙ୍କ ଅମର ଆତ୍ମାର ସଦ୍ଗତି ହେବ। ଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
ସେହିପରି ଏନ୍ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏନେଇ ବିଜେପିକୁ ଅନୁରୋଧ କରିଥିଲେ। ବିଚାରବିମର୍ଶ ପରେ ବିଜେପି ଏହି ନିଷ୍ପତ୍ତି ନେଇଥିଲା । ତେବେ ଏହି ଘଟଣାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶରଦ ପାୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ପିସିସି ମୁଖ୍ୟ ନାନା ପାଟୋଲ ଅଭିଯୋଗ କରିଛନ୍ତି ଯେ ଶରଦ ପାୱାରଙ୍କ ବିଜେପିକୁ ଦେଇଥିବା ପରାମର୍ଶ ଏକ ଡିଲ୍। କଂଗ୍ରେସ ଏହାକୁ ବିସିସିଆଇ ସହିତ ଏକ ସଂଯୋଗ ଭାବରେ ବ୍ୟାଖ୍ୟା କରିଛି ।