ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଆୟୋଜିତ ହୋଇଥିବା ୨ ଦିନିଆ ଜି୨୦ ବୈଠକ ସଫଳତାର ସହ ଶେଷ ହୋଇଛି । ଏକ ବିଶ୍ୱ, ଏକ ପରିବାର ଓ ଏକ ଭବିଷ୍ୟତର ଭାରତ ଯେଉଁ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା ସେ ଲକ୍ଷ୍ୟ ପୂରଣ ଦିଗରେ ଏବେ ପୂରା ବିଶ୍ୱ ଅଗ୍ରସର। ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀର ଉଦଯାପନୀ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବକୁ ଶାନ୍ତି ପ୍ରସ୍ତାବ ଦେଇ ପୁଣିଥରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛନ୍ତି । ଉଦ୍ଯାପନୀ ଉଦ୍ବୋଧନରେ ଏକ ବିଶ୍ୱ, ଏକ ପରିବାର ଓ ଏକ ଭବିଷ୍ୟତ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନୂଆଦିଲ୍ଲୀରେ ଜି ୨୦ ସମିଟ ଶେଷ ହୋଇଥିଲେ ବି ଭାରତର ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ରହିଛି । ଅଥିପାଇଁ ଆସନ୍ତା ନଭେମ୍ବରରେ ଭର୍ଚ୍ଚୁଆଲ ଜରିଆରେ ଭାରତରେ ଆୟୋଜିତ ଜି ୨୦ ସମ୍ମିଳନୀର ସମୀକ୍ଷା କରିବାକୁ ସଦସ୍ୟଭୁକ୍ତ ରାଷ୍ଟ୍ରନେତାଙ୍କୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀ ଶେଷକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରୁ ଜି -୨୦ ଅଧ୍ୟକ୍ଷତାର ସୂଚକ ଗାଭେଲ ଗ୍ରହଣ କରିବା ସହ ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଶିଖର ସମ୍ମିଳନୀକୁ ସଦସ୍ୟଭୁକ୍ତ ରାଷ୍ଟ୍ରନେତାଙ୍କୁ ସ୍ବାଗତ ଜଣାଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଦା ସିଲ୍ଭା ।