ଗଡକରୀଙ୍କୁ ମହଙ୍ଗା ପଡିଲା ଚ୍ୟାଲେଞ୍ଜ, ଗଣିବେ ୧୫ ହଜାର କୋଟି!
ଭୋପାଳ(ଆମ ଟିଭି): କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମହଙ୍ଗା ପଡିଲା ଚ୍ୟାଲେଞ୍ଜ। ଗଣିବେ ୧୫ ହଜାର କୋଟି। ଓଜନ କମାଇବାକୁ ଜଣେ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଚ୍ୟାଲେଞ୍ଜ ସ୍ୱୀକାର କରି ଏବେ ସାଂସଦ ଜଣଙ୍କ ନିଜ ଓଜନ କମାଇ ଦେଇଛନ୍ତି। ଓଜନ କମାଇବା ପରେ ସେ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ଦାବି କରିଛନ୍ତି।

ମଧ୍ୟପ୍ରଦେଶର ଉଜ୍ଜୟିନୀ ସାଂସଦ ଅନୀଲ ଫିରୋଜିଆ। ନିଜ ଅଞ୍ଚଳର ବିକାଶ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାରମ୍ବାର ଅନୁଦାନ ମାଗୁଥିଲେ। ତେଣୁ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯଦି ସେ ତାଙ୍କ ଓଜନ କମାଇ ଦେବେ, ତା’ହେଲେ ତାଙ୍କୁ ଅନୁଦାନ ଦିଆଯିବ। କେଜି ପିଛା ୧୦୦୦ କୋଟି ଟଙ୍କା ଦିଆଯିବ ବୋଲି ଗଡ଼କାରୀ ତାଙ୍କୁ କହିଥିଲେ। ଅନୀଲ ଫିରୋଜିଆ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ପରେ ନିଜ ଓଜନ କମାଇବାକୁ ଦିନରାତି ଲାଗି ପଡ଼ିଥିଲେ। ସେ ପାଖାପାଖି ୧୫ କିଲୋ ଓଜନ କମାଇଛନ୍ତି। ଏବେ ସେ କେଜି ପିଛା ୧୦୦୦ କୋଟି ଟଙ୍କା ହିସାବରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୧୫ ହଜାର କୋଟି ଟଙ୍କା ମାଗିଛନ୍ତି।