ବିଦେଶରେ ତିରଙ୍ଗା ଉଡ଼ାଇ ଶ୍ରୀଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା କଲେ ଗଜପତି
ଭୁବନେଶ୍ୱର (ଆମ ଟିଭି) : ବିଦେଶରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ଚର୍ଚ୍ଚା। ସେ ତାଞ୍ଜାନିଆ ଭ୍ରମଣ ଅବସରରେ, ଅଗଷ୍ଟ ୧୩ ତାରିଖ ଦିନ ଓଡିଆ ସମାଜ, ଦାର-ଏସ-ସଲାମର ସଦସ୍ୟମାନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସର୍ମ୍ପକରେ ଚର୍ଚ୍ଚା କରିଥିଲେ। ଓଡିଆ ସମାଜ, ଦାର ଏସ୍ ସଲାମ୍ ଓ ତାଞ୍ଜାନିଆ ସ୍ଥିତ ଭାରତୀୟ ହାଇକମିଶନ୍ଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ସହଯୋଗ କରିଥିଲେ ।
ତାଞ୍ଜାନିଆ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନ୍ ବିନୟ ଶ୍ରୀକାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଗଜପତି ମହାରାଜା ଜଗନ୍ନାଥ ଚେତନା ସମ୍ପର୍କରେ ଅତି ସୁନ୍ଦର ବକ୍ତବ୍ୟ ରଖିଥିଲେ । ପୁଣି ଉପସ୍ଥିତ ବ୍ୟକ୍ତିମାନଙ୍କର ବିଭିନ୍ନ ଆଧ୍ୟାତ୍ମିକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।ଏହି ଅବସରରେ ତାଞ୍ଜାନିଆ ଓଡିଆ ସମାଜର ଅଧ୍ୟକ୍ଷ ବିଜୟ କୁମାର ସାହୁ ତାଞ୍ଜାନିଆ ଠାରେ ଶ୍ରୀଜଗନ୍ନାଥଙ୍କର ଏକ ମନ୍ଦିର ସ୍ଥାପନା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ।
ଓଡ଼ିଆ ସମାଜର ମହି ସଦସ୍ୟ ମାନେ ବନ୍ଦେ ଉତ୍କଳ ଜନନୀ ଗାଇଥିବା ବେଳେ ଶିଶୁ କଳାକାର ବିଜୟଲକ୍ଷ୍ମୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହା ବ୍ୟତୀତ ତାଞ୍ଜାନିଆର ବାସ କରୁଥିବା ସ୍ଥାନୀୟ କଳାକାରମାନେ ଓଡ଼ିଆ ଗୀତରେ ନୃତ୍ୟ ପରିବେଷଣ କରିଥିଲେ।ଆହୁରି ମଧ୍ୟ ଆଜାଦିକା ଅମୃତ ମହୋତ୍ସବରେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ଵାନ ଦେଇଥିଲେ ।