ବିହାରରେ ଅଟକି ନଥିଲା ଗଙ୍ଗା ବିଳାସ କ୍ରୁଜ୍‌, ସ୍ପଷ୍ଟ କଲା ଆଇଡବ୍ଲୁଏଆଇ

0

ନୂଆଦିଲ୍ଲୀ: ବିହାରରେ ଅଟକିଛି ଗଙ୍ଗା ବିଳାସ କ୍ରୁଜ୍‌। ଛାପ୍ରାରେ କମ୍‌ ଜଳ ଥିବାରୁ ୫୧ ଦିନିଆ ଯାତ୍ରାରେ ବାହାରିଥିବା ଗଙ୍ଗା ବିଳାସ କ୍ରୁଜ୍‌ ଅଟକିଛି। ଯେକୌଣସି ସମ୍ଭାବ୍ୟ ଅଘଟଣରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେଠାରେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। କମ୍ ଜଳ ହେତୁ କ୍ରୁଜ୍‌ଟିକୁ କୂଳକୁ ଆଣିବାରେ ଅସୁବିଧା ହେଉଛି। ତେଣୁ ଛୋଟ ଡଙ୍ଗା ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଉଦ୍ୟମ କରାଯାଉଛି ବୋଲି କିଛି ଗଣମାଧ୍ୟମରେ ଆଜି ପ୍ରଥମେ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ପ୍ରସାରିତ ଏହି ଖବରରେ ସତ୍ୟତା ନାହିଁ ବୋଲି କୁହାଯାଇଛି।

ଧାର୍ଯ୍ୟ ସମୟରେ ଏହା ଛାପ୍ରାରେ ପହଞ୍ଚିଛି ଏବଂ ଏହା ନଦୀରେ ଅଟକି ନାହିଁ ବୋଲି ଭାରତୀୟ ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ (ଆଇଡବ୍ଲୁଏଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ନଦୀରେ ପାଣି ନଥିବାରୁ କ୍ରୁଜ୍ ଅଟକିଛି ବୋଲି ଯାହା କୁହାଯାଉଛି ସେଥିରେ ସତ୍ୟତା ନାହିଁ। ଆଗକୁ ଏହା ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଯାତ୍ରା କରିବ ବୋଲି ଆଇଡବ୍ଲୁଏଆଇ ଅଧ୍ୟକ୍ଷ ସଞ୍ଜୟ ବନ୍ଦୋପାଧ୍ୟାୟ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ସୂଚନାକୁ କଦର୍ଥ କରିଛନ୍ତି ବୋଲି ଛାପ୍ରା ସର୍କଲ ଅଫିସର ‌ସତ୍ୟେନ୍ଦ୍ର ସିଂହ କହିଛନ୍ତି। ସେ କେବଳ କହିଥିଲେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏସଡିଆରଏଫର ବୋଟ୍‌ ମୁତୟନ କରାଯାଇଛି। କିନ୍ତୁ ବୋଟ୍‌ ଅଟକି ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ବାରଣାସୀରୁ ଦିବ୍ରୁଗଡ଼ ପର୍ଯ୍ୟନ୍ତ ଯିବାକୁ ଥିବା ଏହି କ୍ରୁଜରେ ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ଭାବେ ବୁକ୍ ହୋଇଛି। ୬୨ ମିଟର ଲମ୍ବର ଉକ୍ତ କ୍ରୁଜ୍ ଭାରତରେ ୬୮ କୋଟି ଟଙ୍କାରେ ନିର୍ମାଣ ହୋଇଛି।

ବାରାଣସୀରୁ ଯାତ୍ରା ଆରମ୍ଭ କରିଥିବା ଗଙ୍ଗା ବିଳାସ ଜାହାଜ ୫୧ ଦିନରେ ବିଭିନ୍ନ ରାଜ୍ୟ ଦେଇ ୩,୨୦୦ କିଲୋମିଟର ଅତିକ୍ରମ କରିବ। ଏହି ଯାତ୍ରା ବିଶ୍ୱ ଐତିହ୍ୟ ସ୍ଥାନ, ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ବିହାରର ପାଟନା, ଝାଡ଼ଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଏବଂ ଆସାମର ଗୌହାଟି ସମେତ ୫୦ଟି ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବ।

Leave A Reply

Your email address will not be published.