ନୂଆ ଓଡ଼ିଆ ସିନେମା “ଶିକାର”ର ଶୁଭ ମହୁରତ
ଭୁବନେଶ୍ୱର (ଆମ ଟିଭି): ଓଲିଉଡ୍ର ଆଗଧାଡିର ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜନାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶିକାର” ର ଶୁଭ ମହୁରତ ନୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହୋଇଛି l ଏହି ଶୁଭ ମହୁରତ ଅବସରରେ ଫିଲ୍ମ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲମ୍ସ ବିତରକ ପ୍ରଶାନ୍ତ ବେହେରା, ସିନେ ପ୍ରଯୋଜକ ଯୁଗଳ ଦେବତା, ପ୍ରମୋଦ ସ୍ୱାଇଁ, ଜୁବୁଲି ସୁନ୍ଦରାୟ, ଶ୍ରୀଧର ମାର୍ଥା, ରମେଶ ବାରିକ, ଅତୀଶ ରାଉତ, ଶ୍ୟାମା ପ୍ରସାଦ ମିଶ୍ର, ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀକାର ତଥା ସଂଳାପକାର ପ୍ରିୟବ୍ରତ ପଣ୍ଡା, ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଶାନ୍ତ ପାତ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, ଅଭିନେତା ଅମ୍ଲାନ ଦାସ, ଏଲିନା ସାମନ୍ତରାୟ, ଅଙ୍କିତ ଏବଂ ଅନେକ କଳାକାର ଏବଂ ମାନ୍ୟଗଣ୍ୟ ଅତିଥି ତଥା ଗଣମାଧ୍ୟମ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ l

ମୁନ୍ ଟିଭି ମୁଭିଜ ଏବଂ ପ୍ରକାଶ ବେହେରା ଫିଲ୍ମସ ବ୍ୟାନରରେ ତଥା ସିଦ୍ଧାର୍ଥ ମ୍ୟୁଜିକ ସହଯୋଗିତାରେ ଶିକାର ନିର୍ମାଣ ହେବାକୁ ଯାଉଛି । ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ମୃତ୍ୟୁଞ୍ଜୟ ସାହୁ (ବାପି) ରହିଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ସହିତ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ଏକ ରହସ୍ୟ ରୋମାଞ୍ଚ ଭରା ଏହି ଚଳଚ୍ଚିତ୍ରର କାହାଣୀ । କିଏ ଗୋଟିଏ ପରିବାରର ହତ୍ୟାକାଣ୍ଡ ଘଟିଯାଇଛି। ଏ ହତ୍ୟାକାଣ୍ଡ କଲା କିଏ? କାହିଁକି ହତ୍ୟା କଲା? ଏହା ପଛରେ କାହା ହାତ ରହିଛି? ଏହି ରହସ୍ୟମୟ ଘଟଣାରେ କେତୋଟି
ଚରିତ୍ର ଶିକାର ହୋଇଛନ୍ତି। ଅସଲ ଶିକାରୀ କିଏ ? କ’ଣ ପାଇଁ ସେ ଏଭଳି ନାରକୀୟ କାଣ୍ଡ ଭିଆଇଛି ? ଏସବୁର ଉତ୍ତର ସିନେମାରେ ରହିଛି। କାହାଣୀରେ ପାରିବାରିକ ଛିଟା ମଧ୍ୟ ଅଛି। ରହସ୍ୟ ରୋମାଞ୍ଚ ଭରା ଏହି ଚଳଚ୍ଚିତ୍ରର କାହାଣୀ ଦର୍ଶକଙ୍କୁ ନିଶ୍ଚୟ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି କାହାଣୀକାର ପ୍ରିୟବ୍ରତ ପଣ୍ଡା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l

ଗୀତଗୁଡିକୁ ସ୍ବର ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡି ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାଶ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇବେ ଅମିତ ନାୟକ । ଏହାର ସିନେମାଟୋଗ୍ରାଫର ଅଛନ୍ତି ପ୍ରତାପ ରାଉତ। ଫିଲ୍ମଟିର ମୁଖ୍ୟ ଭୂମିକାରେ ଅମ୍ଳାନ, ଏଲିନା ସାମନ୍ତରାୟ, ସୁପ୍ରିୟା ନାୟକ ଏବଂ ଅଙ୍କିତ ଅଭିନୟ କରିବେ। ମହୁରତଠାରୁ ଏହାର ଶୁଟିଂ ଆରମ୍ଭ ହେବ ଏବଂ ଚଳିତ ରଜରେ ଚଳଚ୍ଚିତ୍ର ଶିକାର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।