ଝାରସୁଗୁଡ଼ା(ଆମ ଟିଭି): ବହୁ ଚର୍ଚ୍ଚିତ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ଆଉ କିଛି ସମୟ ପରେ ପୁଣି ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର ହେବେ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ କରିଥିବା ୭ ଦିନିଆ ରିମାଣ୍ଡ ଆବେଦନର ଶୁଣାଣି କରାଯିବ । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗୋପାଳ ଦାସଙ୍କୁ କୋର୍ଟ ଚାଲଣ ବେଳେ ଅଟକିଥିଲା ପୁଲିସ ଭ୍ୟାନ । ବାଟ ମଝିରେ ଏକ ଅଜ୍ଞାତ ସ୍ଥାନରେ ଭ୍ୟାନକୁ ଅଟକା ଯାଇ ଗୋପାଳଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଥିଲା । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି ।
ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ତଦନ୍ତକାରୀ ଟିମ୍ ଅଭିଯୁକ୍ତ ବ୍ୟବହାର କରିଥିବା ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରାଯାଇଛି । ବନ୍ଧୁକ ଓ ଗୁଳିକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଛି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ରିପୋର୍ଟ ଓ ଏହାର ଭିଡିଓଗ୍ରାଫି ସଂଗ୍ରହ କରାଯିବ ।