ଭୁବନେଶ୍ୱର(ଆମ ଟିଭି): ସ୍ୱର୍ଗତ ନବ ଦାସଙ୍କ ମୃତ୍ୟୁକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି । ଏହାସହ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପାଗଳ କି ଭଲ ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ଆଉ ଏହାରି ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଗୃହରେ ଯେଉଁ ଉତ୍ତର ରଖିଛନ୍ତି ତାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ମାନସିକ ରୋଗ ପାଇଁ କେବେ ବି ଛୁଟି ଆବେଦନ କରିନଥିଲା ଗୋପାଳ । ସେହିପରି ଟ୍ରାନ୍ସଫର ପାଇଁ ମଧ୍ୟ ସେ କେବେ ବି ଆବେଦନ କରିନଥିଲା । ବରଂ ବିନା ସୂଚନାରେ ୨ ମାସ ପର୍ୟ୍ୟନ୍ତ ଗୋପାଳ ଛୁଟିରେ ଥିଲେ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ମନ୍ତ୍ରୀଙ୍କ କହିବା ମୁତାବକ, ହତ୍ୟା ଅପରାଧର ଅଭିଯୁକ୍ତ ଗୋପାଳ ଦାସ ଚାକିରି କାଳରେ ପ୍ରଥମେ ୨୦୧୪ ମସିହା ଫେବ୍ରୁଆରୀ ୩ ତାରିଖରୁ ଏପ୍ରିଲ ୩ ତାରିଖ ପର୍ୟ୍ୟନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମତି ନନେଇ ଛୁଟିରେ ରହିଥିଲେ । ତେବେ ଏପ୍ରିଲ ୪ ତାରିଖରେ ସେ କାର୍ୟ୍ୟରେ ଯୋଗ ଦେବା ସହିତ ତାଙ୍କ ଅନୁପସ୍ଥିତ ଦିନକୁ ନଜର ମାନସିକ ରୋଗ ପାଇଁ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେବାର କାଗଜପତ୍ର ଦାଖଲ କରିଥିଲେ ।