ଭୁବନେଶ୍ବର (ଆମ ଟିଭି): ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଟିପୁରେ ଭକ୍ତି ସୁମନ ଅର୍ପଣ କରିଥିଲେ । ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ବାନ ଦେଇଥିଲେ । ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ଵରଚିତ କବିତା ଆବୃତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥରେ ସକ୍ରିୟ ସହଯୋଗ କରିଥିଲେ ।
ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍ ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ଉପସ୍ଥିତ ରହି ଅତିଥିଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀଙ୍କୁ ସଚେତନ କରିବା ନିମନ୍ତେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥ ଓ ମାସ୍କଟ “ସାଇରା” ବିଦ୍ୟାଳୟ ଫାଟକ ନିକଟରେ ପ୍ରବେଶ କରିବା ମାତ୍ରେ ବିଦ୍ୟାର୍ଥୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସ୍ଵାଗତ କରି ବିଦ୍ୟାଳୟ ପ୍ରେକ୍ଷାଳୟ ନିକଟକୁ ପାଛୋଟି ନେଇଥିଲେ । କମ୍ପ୍ୟୁଟର ବିଭାଗ ଦ୍ଵାରା ପଥପ୍ରାନ୍ତ ନାଟକ, ୱାଲ୍ ପେଣ୍ଟିଙ୍ଗ୍, ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ସାଇବର ସେଲ୍ର ଏ.ସି.ପି ଅଞ୍ଜନା ଟୁଡୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ଗୀତାଞ୍ଜଳି ହୋତା, ସସ୍ମିତା ରାଉତ ଓ ବିଶ୍ବମୋହନ ମହାନ୍ତି ଉକ୍ତ କର୍ଯ୍ୟକ୍ରମ ପରିଚାଳନା କରିଥିଲେ ।